ମେରଠ (ଉତ୍ତର ପ୍ରଦେଶ): ମେରଠର ଏକ ଅଦାଲତ ବୁଧବାର ଦିନ ଚର୍ଚ୍ଚିତ “ନୀଳ ଡ୍ରମ୍’ ହତ୍ୟାକାଣ୍ଡ ମାମଲାରେ ମର୍ଚାଣ୍ଟ ନେଭି ଅଧିକାରୀ ସୌରଭ ରାଜପୁତଙ୍କ ହତ୍ୟା ଅଭିଯୋଗରେ ତାଙ୍କ ପତ୍ନୀ ମୁସ୍କାନ ରସ୍ତୋଗୀ ଏବଂ ତାଙ୍କ ସହଯୋଗୀ ସାହିଲ ଶୁକ୍ଳାଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ଜିଲ୍ଲା ବିଚାରପତି ଅରବିନ୍ଦ କୁମାର ମିଶ୍ର ଏହି ଦଣ୍ଡାଦେଶ ଶୁଣାଇଥିବା କଥା ଅଦାଲତର ଅଧିକାରୀମାନେ ଜଣାଇଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁସ୍କାନ ଏବଂ ସାହିଲଙ୍କୁ ଅଦାଲତରେ ହାଜର କରାଯାଇଥିଲା। ହତ୍ୟାକାଣ୍ଡ ଏବଂ ରାଜପୁତଙ୍କ ମୃତଦେହ ଲୁଚାଇବାକୁ ଚେଷ୍ଟା କରିବା ଅଭିଯୋଗରେ ଅଦାଲତ ସେପ୍ଟେମ୍ବର ୩୦ ତାରିଖରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୧୩ ମାସ ଧରି ଚାଲିଥିବା ବିଚାର ପ୍ରକ୍ରିୟାରେ ୧୨୬ ଥର ଶୁଣାଣି ପରେ ଏହି ରାୟ ପ୍ରକାଶ ପାଇଛି। ସରକାରୀ ଓକିଲଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୨୫ ମସିହା ମାର୍ଚ୍ଚ ୩ ତାରିଖରେ ରାଜପୁତଙ୍କୁ ହତ୍ୟା କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ମୁସ୍କାନ ଓ ସାହିଲ ତାଙ୍କ ମୃତଦେହକୁ ଖଣ୍ଡବିଖଣ୍ଡିତ କରି ଏକ ନୀଳ ରଙ୍ଗର ଡ୍ରମ୍ ଭିତରେ ରଖିଥିଲେ ଏବଂ ଅପରାଧ ଲୁଚାଇବା ପାଇଁ ସେଥିରେ ସିମେଣ୍ଟ ଭର୍ତ୍ତି କରିଦେଇଥିଲେ। ମେରଠ ସ୍ଥିତ ଦମ୍ପତିଙ୍କ ଘରୁ ମୃତଦେହର ଅବଶେଷ ମିଳିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ବିଚାର ପ୍ରକ୍ରିୟା ସମୟରେ ସରକାରୀ ପକ୍ଷ ୨୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ; ଏଥିରେ ଡ୍ରମ୍, ଛୁରି ଏବଂ ଅପରାଧରେ ବ୍ୟବହୃତ ହୋଇଥିବା ଅନ୍ୟାନ୍ୟ ସାମଗ୍ରୀ କିଣିବା ସହ ଜଡିତ ବ୍ୟକ୍ତିମାନେ ଅନ୍ତର୍ଭୁକ୍ତ ଥିଲେ। ଅଭିଯୁକ୍ତମାନଙ୍କ ଗତିବିଧି ସମ୍ପର୍କରେ ଜାଣିବା ପାଇଁ ହୋଟେଲ ମ୍ୟାନେଜର ଏବଂ କ୍ୟାବ୍ ଚାଳକଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା ଏବଂ ବିଭିନ୍ନ ସ୍ଥାନରେ ସେମାନଙ୍କ ରହଣି ସମ୍ବନ୍ଧୀୟ ତଥ୍ୟ ଅଦାଲତରେ ଉପସ୍ଥାପନ କରାଯାଇଥିଲା।
