ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହ ଠାରେ ବୁଧବାର ଦିନ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରୀମନ୍ଦିର ପ୍ରଶାସନର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ୟଜୋତି ପରିଡା ଅଧ୍ୟକ୍ଷତା କରିଥିଲେ । ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ କରାଯିବ । ବାଳଧୂପ ନୀତି ଠାରୁ ବଡସିଂହାର ନୀତି ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଉପରେ ବୈଠକରେ ଆଲୋଚନା କରାଯାଇ ଚୁଡାନ୍ତ ନିଷ୍ପତ୍ତି ନିଆଯାଇଥିଲା । ଭୋର ୪ଟାର ଦ୍ୱାରଫିଟା, ୪ଟା ୩୦ରେ ଭିତରଶୋଧ,୫ଟାରେ ମଙ୍ଗଳ ଆଳତି, ୬?ଟା ୩୦ରୁ ୭ଟା ୩୦ ରାଧା ଦାମୋଦର ବେଶ ଅନୁଷ୍ଠିତ ହେବ । ନଭେମ୍ବର ୧୬ ତାରିଖ ସୋମବାର ଅବକାଶ ନୀତି ପରେ ହରିହର ବେଶ ଅନୁଷ୍ଠିତ ହେବ । ୨୧ ତାରିଖରେ ଲକ୍ଷ୍ମୀନାରାୟଣ ବେଶ ଓ ହରିଉଥାପନ ନୀତି, ୨୨ ତାରିଖରେ ତ୍ରିବିକ୍ରମ ବେଶ, ୨୩ ତାରିଖରେ ଲକ୍ଷ୍ମୀନାରାୟଣ ବେଶ, ୨୪ ତାରିଖରେ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ଚଳିତବର୍ଷ ବାଙ୍କଚୂଡ ବେଶ ହେବ ନାହିଁ ।

ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ଦର୍ଶନ, ସିଂହଦ୍ୱାର ଦେଇ ପ୍ରବେଶ ଓ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ପଞ୍ଚୁକ ପାଇଁ ବ୍ଯାରିକେଡ ନିର୍ମାଣ କରାଯିବ । ବରିଷ୍ଠ ନାଗରିକ ଓ ବୃଦ୍ଧ ବୃଦ୍ଧାଙ୍କ ସମେତ ଭିନ୍ନକ୍ଷମ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯିବ । ବିଭିନ୍ନ ସ୍ଥାନରେ ଅଧିକାରୀ ମାନେ କାର୍ଯ୍ଯରତ ରହିବେ । ହବିଷାଳୀ ମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯିବ । ଆନନ୍ଦ ବଜାରରେ ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯିବ । ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ବନ୍ଦୋବସ୍ତ କରାଯିବ । ଆଜିର ବୈଠକରେ ଏସପି ପ୍ରତୀକ ସିଂ,ଶ୍ରୀମନ୍ଦିର ବରିଷ୍ଠ ଅଧିକାରୀ ଓ ଛତିଶା ନିଯୋଗର ସଦସ୍ଯ ମାନେ ଯୋଗ ଦେଇଥିଲେ ।
