ପୁରୀ: ଓଡିଶା ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ଖୋ ଖୋ ଫେଡେରେସନ ଅଫ ଇଣ୍ଡିଆ ,ଓଡିଶା ଖୋ ଖୋ ଆସୋସିଏସନ ପୁରୀଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବୁଧବାର ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ସ୍ଥିତ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଖୋ ଖୋ ଏକାଡେମୀ ହଲ ଠାରେ ୫୬ତମ ସିନିୟର ରାଜ୍ଯସ୍ତରୀୟ ପୁରୁଷ ଓ ମହିଳା ୨୦୨୬-୨୭ ଖୋ ଖୋ ଚମ୍ପିୟନସିପ୍ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ପୂର୍ବକ ଉଦଘାଟନ କରି କହିଲେ ଶ୍ରୀଜଗନ୍ନାଥଙ୍କ ଧାମରେ ଖେଳ ପ୍ରଦର୍ଶନ କରିବା ମହାପ୍ରଭୁଙ୍କ ଆଶୀର୍ବାଦ ରହିଛି । ଭଲ ପାଠ ପଢିବା ସହ ଖେଳ କସରତ ଦ୍ୱାରା ଶାରୀରିକ ସୁନ୍ଦର ଗଠନ ଓ ବୁଦ୍ଧିମାନ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଭାରତ ଖୋ ଖୋ ଫେଡେରେସନ ଉପସଭାପତି ତଥା ଓଡିଶା ଖୋ ଖୋ ଆସୋସିଏସନ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର କହିଲେ ଖେଳ ହାରିବା ଜିତିବା ବଡ କଥାନୁହେଁ କିନ୍ତୁ ଭାଇଚାରା ମନୋଭାବ ରଖି ଖୋ ଖୋ ଖେଳି ଜିଲ୍ଲା,ରାଜ୍ୟ ଓ ଜାତୀୟସ୍ତରରେ ନାମ ରଖି ଦେଶର ନାମ ରଖି ତୁମେ ମାନେ ରୋଜଗାର ସୁଯୋଗ ପାଇପାରିବ । ଖେଳକୁ ସହଯୋଗ କରୁଥିବା ଏବଂ କ୍ରୀଡାବିତ ମାନଙ୍କ ଅଭିଭାବକ ମାନଙ୍କୁ ମଧ୍ଯ ଧନ୍ୟବାଦ ଦେଇଥିଲେ ।

ଏଚପିସି ମୁଖ୍ଯ କୋଚ ସଞ୍ଜୀବ ଶର୍ମା, ଖୋ ଖୋ ଆସୋସିଏସନ ଇସି ସଦସ୍ଯ ଭୂବନ ମୋହନ ଦାସ, ଗୋପୀନାଥପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ତରାଇ, ଅବସରପ୍ରାପ୍ତ ରେଲବାଇ ଡେପୁଟି ମୁଖ୍ଯ କମର୍ସିଆଲ ମ୍ଯାନେଜର ତ୍ରିବିକ୍ରମ ମିଶ୍ର,ଶିକ୍ଷକ ତଥା ସ୍ପୋର୍ଟ୍ସ ପ୍ରମୋଟର ଦିପ୍ତୀ ମିଶ୍ର,ଗୃହିଣୀ ଜ୍ଯୋର୍ତିମୟୀ ମିଶ୍ର, ଖୋ ଖୋ କୋଚ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ପ୍ରମୁଖ ଯୋଗଦେଇ କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଖେଳ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଉପଢୌକନ ପ୍ରଦାନ ସହ ସମ୍ମାନିତ କରାଯାଇଥିଲା । ଏହି ଅବସରରେ କ୍ରୀଡାବିତ ସର୍ପ ଦର୍ଶନରେ ସାଇ ସୋହମ ଜେନା (ଆଶୁ)ଙ୍କ ଦେହାନ୍ତ, ସିଦ୍ଧେଶ୍ୱର ଟୁଡୁ କିଡନି,ଗଣେଶ୍ୱର ସେଠୀ ଓ ମଧ୍ୟପ୍ରଦେଶର କ୍ରୀଡାବିତଙ୍କ ସମୁଦ୍ରରେ ନିଖୋଜ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପୂର୍ବାହ୍ନରେ ଭାରତ ଖୋ ଖୋ ଫେଡେରସନ ଉପସଭାପତି ତଥା ଓଡିଶା ଖୋ ଖୋ ଆସୋସିଏସନ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଖୋ ଖୋ ଏକାଡେମୀ ହଲ ଠାରେ ଖୋ ଖୋ ପୋଲକୁ ଶ୍ରୀଫଳ ବାଡେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ଗଞ୍ଜାମ, ଭଦ୍ରକ, ମୟୁରଭଞ୍ଜ, ଗଜପତି, ସୁନ୍ଦରଗଡ, ସମ୍ବଲପୁର, ଖୋର୍ଦ୍ଧା,ପୁରୀ, ବଲାଙ୍ଗୀର, କେନ୍ଦୁଝର, ବାଲେଶ୍ୱର, ଭୁବନେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା ଓ ଭୁବନେଶ୍ୱର କିଟକିସ୍ ର ବରିଷ୍ଠ ମହିଳା ଖେଳାଳୀମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି।

ରାଜ୍ୟର ୧୫ଟି ଜିଲ୍ଲାରୁ ୨୨୫ ମହିଳା ଖେଳାଳି ମାନେ ଅଂଶଗ୍ରହଣ କରିଛନ୍ତି । ପ୍ରଥମ ଦିନରେ ବାଲେଶ୍ୱର ଓ ବଲାଙ୍ଗୀର ମଧ୍ଯରେ କଡା ଟକ୍କର ସହ ଖେଳ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ହୋଇଛି । ଖୋ ଖୋ ସ୍ଲୋଗାନ ସହ କ୍ରୀଡାବିତ ମାନେ କରତାଳି ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଛନ୍ତି । କୋଚ ଓ କ୍ରୀଡ଼ାବିତ ମାନଙ୍କ ଭଲ ପ୍ରଦର୍ଶନ ପାଇଁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଏଥିରେ କ୍ରୀଡା ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା, ଏଚପିସି ମ୍ଯାନେଜର ବାପି ରାୟ ଓ ୧୨୦ଜଣ ଟେକ୍ନିକାଲ ଅଫିସର, ମ୍ଯାନେଜର, ସହାୟକ କର୍ମଚାରୀ ଓ ଭଲେଣ୍ଟିୟର ମାନେ ଉପସ୍ଥିତ ରହି ଖେଳକୁ ପରିଚାଳନା କରୁଛନ୍ତି ।୧୪ ତାରିଖ ରୁ ଆରମ୍ଭ ହୋଇ ୧୭ ତାରିଖ ୪ ଦିନ ପର୍ଯ୍ୟନ୍ତ ଏହି ଖେଳ ଅନୁଷ୍ଠିତ ହୋଇ ଉଦଯାପିତ ହେବ ।କ୍ରୀଡାବିତ ମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ, ଫାଷ୍ଟଏଡ ସେଣ୍ଟର, ଖାଦ୍ଯ ପାନୀୟଜଳ ଓ ଅନ୍ଯାନ୍ଯ ସମସ୍ତ ସୁବିଧାସୁଯୋଗ ବନ୍ଦୋବସ୍ତ କରାଯାଇଛି ।
