ବାରିପଦା; ମୟୂରଭଞ୍ଜ ଜିଲ୍ଲା, ବୈଶିଙ୍ଗା ଥାନା ଅଧୀନ ବାମଡା, ଭିତରଶୋଳ ଏବଂ ମୋହନପୁର ଗ୍ରାମରେ ଚୋରା ଦେଶିମଦ କାରଖାନା ଉପରେ ବୁଧବାର ସ୍ଥାନୀୟ ଅବକାରୀ ଥାନା ପକ୍ଷରୁ ପୁଲିସ ଫୋର୍ସ ସହାୟତାରେ ମିଳିତ ଭାବରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମହୁଲପୋଚ, ରନ୍ଧା ମଦ ସମେତ ମଦ ପ୍ରସ୍ତୁତିରେ ବ୍ୟବହୃତ ବ୍ୟାପକ ସରଞ୍ଜାମ ଜବତ କରାଯାଇଛି। ସୂଚନା ମୁତାବକ ବାମଡା, ଭିତରଶୋଳ ଏବଂ ମୋହନପୁର ଇଲାକାରେ ଚାଲିଥିବା ଚୋରା ଦେଶିମଦ କାରଖାନା ର ଖବର ପାଇ ମୟୂରଭଞ୍ଜ ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦେଶକ୍ରମେ ବେତନଟୀ ଅବକାରୀ ଥାନା ଅଧିକାରୀ ପ୍ରଦୀପ କୁମାର ବେହେରା ସଦଳବଳେ ବୁଧବାର ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣର ମହୁଲପୋଚ, ଚୋରା ଚାଲାଣ ନିମନ୍ତେ ପ୍ରସ୍ତୁତକରି ରଖାଯାଇଥିବା ରନ୍ଧାମଦ ସମେତ ମଦ ପ୍ରସ୍ତୁତିରେ ବ୍ୟବହୃତ ବ୍ୟାପକ ସରଞ୍ଜାମ ଜବତ କରାଯାଇଥିଲା। ଏଥିସହିତ ଘଟଣାସ୍ଥଳରେ ବହୁ ସରଞ୍ଜାମ ଗୁଡିକୁ ମଧ୍ୟ ଭାଙ୍ଗିରୁଜି ନଷ୍ଟ କରିଦିଆଯାଇଛି। ତିନିଗୋଟି ସ୍ଥାନରେ ପୃଥକ ଚଢ଼ାଉ କରାଯାଇ ସର୍ବମୋଟ ୫ହଜାର ୭ଶହ କେଜି ମହୁଲପୋଚ ଏବଂ ୪ଶହ ୩୦ଲିଟର ରନ୍ଧାମଦ ଜବତ କରାଯାଇଥିଲା। ଏଥିସହିତ ଘଟଣାସ୍ଥଳରୁ ମଧ୍ୟ ବିପୁଳ ପରିମାଣର ପ୍ଲାଷ୍ଟିକ ଜାର୍କିନ, ପ୍ଲାଷ୍ଟିକ ଡ୍ରମ ଭଳି ସରଞ୍ଜାମ ଜବତ କରାଯାଇଛି।
