ପୁରୀ: ବୁଧବାର ସୁଦ୍ଧା ତାଳଧ୍ୱଜ ରଥର ୧୪ ଗୋଟି ଚକ ମଧ୍ୟରୁ ୯ ଗୋଟି ଚକ ନିର୍ମାଣ ଶେଷ ହୋଇଯାଇଛି । ସେହିପରି ଦର୍ପଦଳନ ରଥର ୧୨ ଗୋଟି ଚକ ମଧ୍ୟରୁ ୧୦ ଗୋଟି ଚକ ଏବଂ ନନ୍ଦିଘୋଷ ରଥର ୧୬ ଗୋଟି ଚକ ମଧ୍ୟରୁ ୧୨ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା। ବୁଧବାର ନନ୍ଦିଘୋଷ ରଥର ଏକଗୋଟି ଚକ ନିର୍ମାଣ ଶେଷ ହୋଇଅଛି। ତାଳଧ୍ୱଜ ରଥର ୫ ଗୋଟି ଚକ ,ଦର୍ପ ଦଳନ ରଥର ୨ ଗୋଟି ଚକ ଏବଂ ନନ୍ଦିଘୋଷ ରଥର ୩ ଗୋଟି ଚକ ନିର୍ମାଣ କାର୍ଯ୍ୟ ଜାରୀ ରହିଛି। ତିନିରଥର ଗୁଡ଼ିକ ଗୋଟିଏ ତୁମ୍ବ ବ୍ୟତୀତ ତିନିରଥର ବାକି ତିନି ରଥର ତୁମ୍ବ ଗୁଡିକରେ ସିଙ୍ଗଡା ବାଡ଼ିଆ ଶେଷ ହୋଇଛି।ଏଥିସହ ମହାରଣା ସେବକ ମାନେ ତିନିରଥର ବାକି ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ନେଉଛନ୍ତି । ରଥର ନିର୍ଦ୍ଦିଷ୍ଠ ଅଂଶ ପାଇଁ ଯୋଗାଇ ଦିଆଯାଇଥିବା କାଠରେ କୌଣସି ସମସ୍ୟା ଦେଖାଦେଲେ ସେହି ଚଉପଟ କାଠର କିଛିଅଂଶ ବାଦ୍ ଦେଇ ଅନ୍ୟ ଅଂଶ ରେ ବ୍ୟବହାର ରେ ଲଗାଉଛନ୍ତି ମହାରଣା ସେବକ ମାନେ। ତିନିରଥ ୪ ଗୋଟି ଲେଖାଏଁ ମୁହାଁଟ , ୪ଗୋଟି ଲେଖାଏଁ ନିରାଡ଼ି ଏବଂ ୧୨ ଗୋଟି ଲେଖାଏଁ ଭୂଇଁ ଖମ୍ବି ଗୁଡ଼ିକର ଚଉପଟ କାର୍ଯ୍ୟ ଶେଷ ପରେ ଆରମ୍ଭ ହୋଇଛି ତିନିରଥର ଭୂଇଁ ଚଉତା ନିର୍ମାଣ କାର୍ଯ୍ୟ। ପ୍ରତି ରଥର ପ୍ରଥମ ଭୂଇଁ, ମାଝୀ ଭୂଇଁ ପାଇଁ ପ୍ରତି ରଥ ଚାଳୀକୁ ରଥ ଅମିନ ଭୋଇ ସେବକଙ୍କ ମାଧ୍ୟମରେ ୨୦ ଫୁଟିଆ ଅସନ କାଠ ଯୋଗାଇ ଦେଇଥିଲେ ,ତିନିରଥର ମହାରଣା ସେବକ ମାନେ ୪ଟି ଲେଖାଏଁ ୮ ଗୋଟି ଭୂଇଁ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ କରି ତୃତୀୟ ଭୂଇଁ ବା ଅଗ୍ ଭୂଇଁ ଚଉତା କାଠର ଚଉପଟ କାର୍ଯ୍ୟ ଜାରୀ ରଖିଛନ୍ତି। ଏଥିସହ ତିନିରଥ ର ନିର୍ମାଣ ଶେଷ ହୋଇଥିବା ଯୋକା ଗୁଡ଼ିକ ସୁନ୍ଦର ଦେଖାଯିବା ଯିବା ପାଇଁ ଯୋକା ଅଗ ଗୁଡ଼ିକର ମଣ୍ଡଣି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।ରୂପକାର ସେବକ ମାନେ ତିନି ରଥର ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ସହ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ୍ କାର୍ଯ୍ୟ ଜାରୀ ରଖିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନି ରଥର ଚକ ଅର୍ କଣ୍ଟା,ପନ୍ଦାରି,ବଳା, ପନ୍ଦାରି ଚାବି, ନିର୍ମାଣ ଶେଷ କରି ତିନି ରଥର ଅଖ ଦଣ୍ଡା ବିଡିଆ ଏବଂ ଚଉରସ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
