ବାରିପଦା ; ବୁଢ଼ାବଳଙ୍ଗ ନଦୀ ଗର୍ଭରୁ ବାହାରୁଛି ପୁଳା ପୁଳା ସୁନା, ଆଉ ତାକୁ ହଡ଼ପ କରିବା ପାଇଁ ସକ୍ରିୟ ହୋଇଉଠିଛି ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍। ମୟୂରଭଞ୍ଜ ଜିଲ୍ଲା,ବାରିପଦା ଉପକଣ୍ଠ ଶାମାଖୁଣ୍ଟା ବ୍ଲକ୍ ସିନ୍ଦୂରଗୌରା ପଞ୍ଚାୟତର ଗୁମୁଡ଼ି ଗ୍ରାମ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀକୂଳ ଏବେ ସୁନା ଖଣି ପାଲଟିଛି। ରାତି ପାହିଲେ ନଦୀକୂଳରେ ଲାଗୁଛି ଶହ ଶହ ଲୋକଙ୍କ ଭିଡ଼। ପ୍ରାୟ ୧୫ରୁ ୨୦ଟି ଗାଡ଼ିରେ ୨୦୦ରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ଶ୍ରମିକ ପହଞ୍ଚି ନଦୀବାଲି ଛାଣି ସୁନା ସଂଗ୍ରହ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ଏଠାରୁ ଦୈନିକ ପ୍ରାୟ ୫୦ ଗ୍ରାମ୍ରୁ ଅଧିକ ସୁନା ଲୁଟ୍ ହେଉଛି। ମାସେରୁ ଊର୍ଦ୍ଧ୍ୱ ସମୟ ଧରି ଏହି ବେଆଇନ କାରବାର ଖୁଲମଖୁଲା ଚାଲିଥିଲେ ହେଁ ସ୍ଥାନୀୟ ପ୍ରଶାସନ କିମ୍ବା ପୋଲିସ ନିକଟରେ ଏହାର ଖବର ନାହିଁ। ନଦୀରୁ ସୁନା ସଂଗ୍ରହ କରିବାର ତରିକା ପଛରେ ଏକ ସୁଚିନ୍ତିତ ରାକେଟ୍ କାର୍ଯ୍ୟ କରୁଥିବା ର ସ୍ପଷ୍ଟ ଜଣାପଡ଼ୁଛି। ଏହି କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ମୟୂରଭଞ୍ଜର ଶୀର୍ଷା ସମେତ ପଡ଼ୋଶୀ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡ଼ିଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏମାନେ ବାଲି ଧୋଇ ସୂକ୍ଷ୍ମ ସୁନାକଣିକା ବାହାର କରୁଛନ୍ତି। ତେବେ ଏତେ ସଂଖ୍ୟକ ବାହାର ରାଜ୍ୟର ଶ୍ରମିକଙ୍କୁ ଗାଡ଼ିରେ ଭରି ଏଠାକୁ ଆଣୁଛି କିଏ? କାହା ଛତ୍ରଛାୟା ତଳେ ଏବଂ କାହାର ଅନୁମତିରେ ଚାଲିଛି ଏହି ବେଆଇନ ଖନନ? ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଏହି ଅଞ୍ଚଳରେ ନୀଳ ପଥର ଖନନକୁ ନେଇ ପରିସ୍ଥିତି ଅଣାୟତ ହୋଇଥିଲା ଏବଂ ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ଜୀବନ ଯାଇଥିଲା। ଏବେ ବୁଢ଼ାବଳଙ୍ଗ ନଦୀକୂଳରେ ସୁନା ଲୋଭରେ ଜମୁଥିବା ଭିଡ଼ ଆଗକୁ ଆଉ ଏକ ରକ୍ତାକ୍ତ ସଂଘର୍ଷର ରୂପ ନେବାର ଆଶଙ୍କା ଘନେଇବାରେ ଲାଗିଛି। ଯଦି ଅନ୍ୟ ଗୋଷ୍ଠୀ ମଧ୍ୟରେ ଏହାକୁ ନେଇ କୌଣସି ଅପ୍ରୀତିକର ପରିସ୍ଥିତି ବା ଅଘଟଣ ଘଟେ, ତେବେ ତା’ ପାଇଁ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଏତେ ବଡ଼ ରାକେଟ୍ ସକ୍ରିୟ ଥିବା ସତ୍ତ୍ୱେ ପ୍ରଶାସନର ଅଜ୍ଞତା,ସନ୍ଦେହ ଘେରକୁ ଆସୁଛି। ଏ ସମ୍ପର୍କରେ ଶାମାଖୁଣ୍ଟା ତହସିଲଦାର ସାହେବରାମ ବାସ୍କେଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ବାବଦରେ ପ୍ରଶାସନ ନିକଟରେ ପୂର୍ବରୁ କୌଣସି ସୂଚନା ନଥିଲା। ତେବେ ଘଟଣାର ତଦନ୍ତ କରି ଏହାକୁ ରୋକିବା ନିମନ୍ତେ ତୁରନ୍ତ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ପରିସ୍ଥିତି ହାତଛଡ଼ା ହେବା ପୂର୍ବରୁ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଏହି ର଼୍ୟାକେଟ୍ର ମୁଖ୍ୟ ସୂତ୍ରଧରକୁ ଧରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାଧାରଣ ରେ ଦାବୀ ହେଉଛି ।
