କଟକ: ମଙ୍ଗଳାବାଗ ଅଞ୍ଚଳର ଏକ ଲଜ୍ରେ ଜଣେ ମହିଳାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଲଜ୍ର ଏକ କୋଠରୀର ବାଥରୁମ୍ ରୁ ଶନିବାର ରାତିରେ ମହିଳାଙ୍କ ମୃତଦେହ ମିଳିଥିବା ବେଳେ, ତାଙ୍କ ସହ ଲଜ୍କୁ ଆସିଥିବା ଯୁବକଙ୍କ ସନ୍ଧାନ ମିଳୁନାହିଁ। ଘଟଣାର ପ୍ରକୃତ କାରଣ ଏବେ ସୁଦ୍ଧା ଜଣାପଡ଼ିନାହିଁ।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଶୁକ୍ରବାର ମହିଳା ଜଣକ ଜଣେ ଯୁବକଙ୍କ ସହ ଲଜ୍କୁ ଆସିଥିଲେ। ଉଭୟେ ଏକ ରୁମ୍ ନେଇ ସେଠାରେ ରହିଥିଲେ।ପରଦିନ ସନ୍ଧ୍ୟାରେ ରୁମ୍ଟି ବାହାରପଟୁ ବନ୍ଦ ଥିବା ଲଜ୍ କର୍ମଚାରୀଙ୍କ ନଜରକୁ ଆସିଥିଲା। ଦୀର୍ଘ ସମୟ ଧରି କୌଣସି ଚଳପ୍ରଚଳ ନଥିବାରୁ ସନ୍ଦେହ ବଢ଼ିବା ପରେ କର୍ମଚାରୀମାନେ ରୁମ୍ ଖୋଲି ଭିତରକୁ ପ୍ରବେଶ କରିଥିଲେ।ରୁମ୍ର ବାଥରୁମ୍ରେ ମହିଳା ଜଣକ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖାଯାଇଥିଲା। ପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚି ଯାଞ୍ଚ କରିବା ବେଳେ ତାଙ୍କ ନାକରେ ତୁଳା ଥିବା ଜଣାପଡ଼ିଥିଲା।ତେବେ ଶରୀରରେ ବାହ୍ୟ ଆଘାତ କିମ୍ବା ରକ୍ତସ୍ରାବର କୌଣସି ସ୍ପଷ୍ଟ ଚିହ୍ନ ମିଳିନଥିବା ପୋଲିସ କହିଛି।ଘଟଣା ପରେ ପୋଲିସ ଲଜ୍ର ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି।ଫୁଟେଜ୍ରୁ ମହିଳାଙ୍କ ସହ ଥିବା ଯୁବକଙ୍କ ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି।ଘଟଣା ପରଠାରୁ ଯୁବକ ଜଣକ ନିଖୋଜ ଥିବାରୁ ତାଙ୍କ ଭୂମିକା ନେଇ ମଧ୍ୟ ତଦନ୍ତ କରାଯାଉଛି।ତେବେ ସେ ମହିଳାଙ୍କ ସ୍ୱାମୀ ହୋଇଥାଇପାରନ୍ତି ବୋଲି ପୋଲିସ ପ୍ରାଥମିକ ଭାବେ ଅନୁମାନ କରୁଥିବା ସୂଚନା ମିଳିଛି। ମୃତ ମହିଳାଙ୍କ ପରିଚୟ ମିଳିଥିବା ବେଳେ ତାଙ୍କ ଘର ବାଲେଶ୍ୱର ଅଞ୍ଚଳରେ ବୋଲି ଜଣାପଡ଼ିଛି। ତାଙ୍କ ବ୍ୟାଗ୍ରୁ ମୋବାଇଲ୍ ଫୋନ୍ ସହ ଏସ୍ସିବି ମେଡିକାଲ୍ର କିଛି ପ୍ରେସକ୍ରିପସନ୍ ମିଳିଛି। ସେ ବିଭିନ୍ନ ରୋଗରେ ପୀଡ଼ିତ ଥିବା ଏବଂ ଚିକିତ୍ସା ସମ୍ପର୍କିତ କାର୍ଯ୍ୟରେ କଟକ ଆସିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଏନେଇ ମଙ୍ଗଳାବାଗ ଥାନା ଅଧିକାରୀ ଉମାକାନ୍ତ ସାହୁ କହିଛନ୍ତି ଯେ, ମହିଳାଙ୍କ ମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ଏପଟେ ଫେରାର ଯୁବକଙ୍କୁ ଖୋଜିବା ସହ ଘଟଣାର ଅନ୍ୟାନ୍ୟ ଦିଗ ଉପରେ ପୋଲିସ ତଦନ୍ତ ଜାରି ରଖିଛି। ମାମଲାର ଅଧିକ ତଦନ୍ତ ପାଇଁ ପୋଲିସର ଏକ ଟିମ୍ ବାଲେଶ୍ୱର ଯାଇଥିବା ଜଣାପଡ଼ିଛି।
