ଲକ୍ଷ୍ନୌ: ଭାରତୀୟ ଜନତା ପାର୍ଟି ସୋମବାର ଦିନ ଉତ୍ତର ପ୍ରଦେଶର ୧୦ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ନିମନ୍ତେ ୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ଉତ୍ତର ପ୍ରଦେଶର ବିଧାୟକ ଧର୍ମପାଲ ସିଂହ ଏବଂ ବରିଷ୍ଠ ନେତା ରାଧାକାନ୍ତ ଓଝା, ଗୋପୀ କୃଷ୍ଣ ପାଣ୍ଡେ ଓ ପ୍ରକାଶ ପାଲଙ୍କ ସମେତ ଆଠ ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। ପୂର୍ବତନ ଲୋକସଭା ସଦସ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ବିଧାୟକ ବିଦ୍ୟାସାଗର ସୋନକରଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିଛି। ପୂର୍ବତନ ଲୋକସଭା ସଦସ୍ୟା ପ୍ରିୟଙ୍କା ସିଂହ ରାୱତ ଏବଂ ବରିଷ୍ଠ ନେତା ରାମ ପ୍ରତାପ ସିଂହ ଚୌହାନଙ୍କୁ ମଧ୍ୟ ରାଜ୍ୟସଭା ଟିକେଟ୍ ଦିଆଯାଇଛି। ବରିଷ୍ଠ ବିଜେପି ନେତା ତଥା ଝାଡ଼ଖଣ୍ଡର ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାରଙ୍କ ଝିଅ ଶ୍ରୁତି ଗଙ୍ଗୱାରଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିଛି। ଆଶ୍ଚର୍ଯ୍ୟଜନକ ଭାବେ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ଉପଭୋକ୍ତା ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବି.ଏଲ୍. ବର୍ମା ତାଲିକାରୁ ବାଦ୍ ପଡ଼ିଛନ୍ତି।
