ମୁମ୍ବାଇ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ରବିବାର ଦିନ ମୁମ୍ବାଇରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ମୁଖ୍ୟ ରାଜ୍ ଠାକରେ ଏକ ବିକ୍ଷୋଭ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। କଂଗ୍ରେସ ଏବଂ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି (ଏସପି)ର ରାଜ୍ୟସ୍ତରୀୟ ନେତାମାନେ ମଧ୍ୟ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ମେଟ୍ରୋ ସିନେମାଠାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ଦକ୍ଷିଣ ମୁମ୍ବାଇସ୍ଥିତ ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ ମୁଖ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।

“ବିରାଟ ଗର୍ଜନ ମୋର୍ଚ୍ଚା’ ନାମରେ ନାମିତ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣକାରୀମାନେ ଭୋଟର ତାଲିକାର ସ୍ୱତନ୍ତ୍ର ତଥା ବ୍ୟାପକ ସଂଶୋଧନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ଉଋଉ-ଙ୍କୁ ହଟାଇବା କିମ୍ବା ତାଙ୍କ ଇସ୍ତଫା ଦାବି କରିଥିଲେ। ଏହି ଶୋଭାଯାତ୍ରାରେ ଦଳୀୟ ପତାକା ବ୍ୟବହାର କରିବାକୁ ଅନୁମତି ଦିଆଯାଇନଥିଲା। ଅଂଶଗ୍ରହଣକାରୀ ଓ ସମର୍ଥକମାନଙ୍କୁ କେବଳ ଜାତୀୟ ତ୍ରିରଙ୍ଗା ପତାକା ଧରିବାକୁ କୁହାଯାଇଥିଲା। ମୁମ୍ବାଇର ଶିବାଜୀ ପାର୍କରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୁଦ୍ଧରେ ଜେଲ୍ ଭରୋ ଆନ୍ଦୋଳନ ଅନୁଷ୍ଠିତ ହେବାର ଦୁଇ ଦିନ ପରେ ଏହି ଶୋଭାଯାତ୍ରା ଆୟୋଜିତ ହୋଇଛି।
