ନୂଆଦିଲ୍ଲୀ: ଶନିବାର ଦିନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ସମ୍ମାନିତ ଅତିଥି ଭାବରେ ଇସ୍ରାଏଲ୍ ଗସ୍ତ କରିବାକୁ ନିମନ୍ତ୍ରଣ କରିଛନ୍ତି। କକପିଟ୍ ମଧ୍ୟରେ ଆକ୍ରମଣର ଶିକାର ହେବା ସତ୍ତ୍ୱେ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଏ-ଦୁବାଇ ବିମାନକୁ ସୁରକ୍ଷିତ ରଖିବାରେ ସେ ସହାୟତା କରିଥିଲେ। “ଆପଣ ଭାରତ ଓ ଇସ୍ରାଏଲର ସାହସୀ ଲୋକଙ୍କର ଏବଂ ସମଗ୍ର ବିଶ୍ୱର ଜଣେ ପ୍ରକୃତ ବୀର ଅଟନ୍ତି ବୋଲି ନେତାନ୍ୟାହୁ ଫୋନ୍ ଯୋଗେ ମଚ୍ଛରଙ୍କ ସହ କଥାବାର୍ତ୍ତା ବେଳେ କହିଥିଲେ। ଏହି କଥୋପକଥନର କିଛି ଅଂଶ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିଲା। ଇସ୍ରାଏଲର ସ୍ୱାଧୀନତା ଦିବସ ଉତ୍ସବରେ ମଶାଲ ପ୍ରଜ୍ଜ୍ୱଳନ କରିବା ପାଇଁ ମୁଁ ଆପଣଙ୍କୁ ନିମନ୍ତ୍ରଣ କରୁଛି ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ କହିଥିଲେ। ବୁଧବାର ସନ୍ଧ୍ୟାରେ ସିଏନ୍ଏନ୍ ସହ ଏକ ସାକ୍ଷାତକାରରେ ନେତାନ୍ୟାହୁ କହିଥିଲେ ଯେ ଆହତ ପାଇଲଟ୍, ଯାତ୍ରୀ ଏବଂ ଅନ୍ୟ କର୍ମଚାରୀମାନେ “୯/୧୧ ଭଳି ଏକ ବିପର୍ଯ୍ୟୟକୁ ରୋକିବାରେ ସଫଳ ହୋଇଥିଲେ। ମଚ୍ଛର ବର୍ତ୍ତମାନ ସଂଯୁକ୍ତ ଆରବ ଏମିରେଟ୍ସର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଫ୍ଲାଏ-ଦୁବାଇ ଘଟଣା ଏବଂ କ୍ୟାପଟେନ୍ ସ୍ମିତ୍ଙ୍କ ଦ୍ୱାରା ବିପର୍ଯ୍ୟୟ ଟଳିବା ସେପ୍ଟେମ୍ବର ୩୦ ତାରିଖରେ, ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଏ-ଦୁବାଇ ବିମାନ ଏଫଜେଡ୍ ୧୦୭୩ ଏକ ଅଭୂତପୂର୍ବ ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ହମାମ୍ ଅଲ୍-ହମ୍ମାମୀ ନାମକ ଜଣେ ଓମାନୀ ସହ-ପାଇଲଟ୍ ବିମାନକୁ ଖସାଇ ଦେବା ଉଦ୍ଦେଶ୍ୟରେ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ କୁରାଢ଼ି ସାହାଯ୍ୟରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ସୂଚନା ଅନୁଯାୟୀ, ଏହି ଆକ୍ରମଣ ଯୋଗୁଁ ବିମାନଟି ଦୁଇ ମିନିଟ୍ ମଧ୍ୟରେ ୧୭,୦୦୦ ଫୁଟରୁ ଅଧିକ ଉଚ୍ଚତା ହରାଇଥିଲା । ୟୁଏଇର ଉପ-ପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟରତ ମକ୍ତୁମ୍, “ଏକ୍ସ’ (ପୂର୍ବରୁ ଟ୍ୱିଟର)ରେ ୩୯ ବର୍ଷୀୟ ପାଇଲଟ୍ଙ୍କ ସହ ହୋଇଥିବା ସାକ୍ଷାତର ଫଟୋ ସେୟାର କରିଛନ୍ତି। ସେ କହିଛନ୍ତି ଯେ ମଚ୍ଛରଙ୍କ କାର୍ଯ୍ୟ ପାଇଁ ୟୁଏଇ ନେତୃତ୍ୱ “ପ୍ରଶଂସା ଓ ସାବାସୀ’ ଜ୍ଞାପନ କରିଛି। ମକ୍ତୁମ୍ କହିଛନ୍ତି, କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କ ସହ ସାକ୍ଷାତ ସମୟରେ… ଯିଏକି ସର୍ବୋଚ୍ଚ ସ୍ତରର ସାହସ, ଦାୟିତ୍ୱବୋଧ ଏବଂ ମାନବ ଜୀବନ ପ୍ରତି ଯତ୍ନର ନିଦର୍ଶନ ପ୍ରଦର୍ଶନ କରିଥିବା ଫ୍ଲାଏଦୁବାଇର ପାଇଲଟ୍ ଅଟନ୍ତି।
