ପୁରୀ: ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଆଜି ପୁରୀ ଶ୍ରୀମନ୍ଦିର ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଏବଂ ମହାପ୍ରଭୁଙ୍କ ଆଶୀର୍ବାଦରେ ୨୦୨୯ ନିର୍ବାଚନରେ କଂଗ୍ରେସ ବାଜିମାତ କରିବ।ଗଣମାଧ୍ୟମ ସାମ୍ନାରେ ଆଗାମୀ ନିର୍ବାଚନୀ ରଣନୀତି ଓ ଦଳୀୟ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, “କଂଗ୍ରେସ ଯାହା କହେ, ତାହା କରି ଦେଖାଏ। ନିର୍ବାଚନ ପାଇଁ ଆମେ ପୂରା ପ୍ରସ୍ତୁତ। ଆଗାମୀ ଦିନରେ ଓଡ଼ିଶାର ଘରେ ଘରେ କଂଗ୍ରେସର ପତାକା ଉଡ଼ିବ।’ଏହାସହ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ଉତ୍ଥାପନ କରି ପିସିସି ସଭାପତି କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ନିଜ ପଦବୀରୁ ଇସ୍ତଫା ଦେବା ଆବଶ୍ୟକ। ଏହି ଦାବିରେ ଏବଂ ବିଭିନ୍ନ ଗଣତାନ୍ତ୍ରିକ ମୁଦ୍ଦାକୁ ନେଇ ଆସନ୍ତା ୮ ତାରିଖ ଦିନ ସାରା ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଶ୍ରୀମନ୍ଦିରରୁ ନିଜର ପ୍ରଚାର ଓ ଆଶୀର୍ବାଦ ଯାତ୍ରା ଆରମ୍ଭ କରି କଂଗ୍ରେସ କର୍ମୀଙ୍କ ମଧ୍ୟରେ ନୂତନ ଜୋସ୍ ଭରିଛନ୍ତି ପିସିସି ସଭାପତି। ଆଗାମୀ ୮ ତାରିଖର ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କ ସହଯୋଗ କାମନା କରାଯାଇଛି।
