ପୁରୀ: ଶ୍ରୀକ୍ଷେତ୍ର ପୁରୀର ଜୀବନଧାରା ସହ ଶ୍ରୀଜଗନ୍ନାଥ ମନ୍ଦିରର ସମ୍ପର୍କ ଅତ୍ୟନ୍ତ ଗଭୀର। ଏହି ଆସ୍ଥା ଓ ପରମ୍ପରାକୁ ଆଧାର କରି ପୁରୀ ସହରବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଏବଂ ଦର୍ଶନ ପାଇଁ ସ୍ଥାୟୀ ବ୍ୟବସ୍ଥା ଦାବିରେ ଚାଲିଥିବା ନିରବ ପଦଯାତ୍ରା ଆଜି ୧୮୬ ଦିନ ପୂରଣ କରିଛି। ଦୀର୍ଘ ସମୟ ବିତିଥିଲେ ମଧ୍ୟ ଦାବିରୁ ପଛକୁ ହଟିନାହାନ୍ତି ସତ୍ୟାଗ୍ରହୀମାନେ। ଉତ୍କଳ ଦିବସ ଅବସରରେ ଗତ ୧ ଅପ୍ରେଲ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ଏହି ଅଭିଯାନର ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ଦିନଠାରୁ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠକୁ ପ୍ରତିଦିନର ଯାତ୍ରାର ଆରମ୍ଭସ୍ଥଳ କରାଯାଇଛି। ସେଠାରୁ ସତ୍ୟାଗ୍ରହୀମାନେ ନିରବ ଭାବେ ଶ୍ରୀମନ୍ଦିର ସିଂହଦ୍ୱାର ଅଭିମୁଖେ ଯାତ୍ରା କରୁଛନ୍ତି। ଦିନ ପରେ ଦିନ ଖରା, ବର୍ଷା ଓ ଅନ୍ୟାନ୍ୟ ପ୍ରତିକୂଳ ପରିସ୍ଥିତି ଆସିଥିଲେ ମଧ୍ୟ ପଦଯାତ୍ରାରେ ବିରତି ଆସିନାହିଁ। କୌଣସି ଉତ୍ତେଜନା କିମ୍ବା ସଂଘର୍ଷର ପଥକୁ ନ ଆପଣାଇ ସତ୍ୟାଗ୍ରହୀମାନେ ନିରବତା, ଶୃଙ୍ଖଳା ଓ ଅହିଂସା ମାଧ୍ୟମରେ ନିଜ ଦାବି ପ୍ରତିପାଦନ କରିଆସୁଛନ୍ତି।ସତ୍ୟାଗ୍ରହୀମାନଙ୍କ କହିବା ଅନୁଯାୟୀ, ପୁରୀବାସୀଙ୍କ ଶ୍ରୀମନ୍ଦିର ସହ ଥିବା ଐତିହାସିକ ଓ ଭାବନାତ୍ମକ ସମ୍ପର୍କକୁ ବିଚାରକୁ ନେଇ ସେମାନଙ୍କ ପାଇଁ ଦର୍ଶନର ଏକ ନିର୍ଦ୍ଦିଷ୍ଟ, ସ୍ଥାୟୀ ଓ ସମ୍ମାନଜନକ ବ୍ୟବସ୍ଥା ହେବା ଆବଶ୍ୟକ।

ଏହି ଦାବିରେ ସ୍ପଷ୍ଟ ଓ ସ୍ଥାୟୀ ସମାଧାନ ନ ଆସିବା ପର୍ଯ୍ୟନ୍ତ ଅଭିଯାନ ଚାଲୁ ରଖିବାକୁ ସେମାନେ ସଂକଳ୍ପବଦ୍ଧ ଅଛନ୍ତି। ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଏହା କୌଣସି ବିରୋଧ କିମ୍ବା ବିଭେଦ ସୃଷ୍ଟିର ପ୍ରୟାସ ନୁହେଁ। ପୁରୀବାସୀଙ୍କ ଦୀର୍ଘଦିନର ଭାବନା ଓ ଆଶାକୁ ସମ୍ମାନ ଦେଇ ଏକ ଗ୍ରହଣଯୋଗ୍ୟ ସମାଧାନ ଖୋଜିବା ହିଁ ଏହି ପଦଯାତ୍ରାର ଉଦ୍ଦେଶ୍ୟ। ଆଲୋଚନା ଓ ପରସ୍ପର ବୁଝାମଣା ମାଧ୍ୟମରେ ଏହି ପ୍ରସଙ୍ଗର ସମାଧାନ ସମ୍ଭବ ବୋଲି ସେ କହିବା ସହ ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସାର ଆଦର୍ଶରେ ସତ୍ୟାଗ୍ରହ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି। ୧୮୬ତମ ଦିନର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ସୁକାନ୍ତ ପଣ୍ଡା, ନୃସିଂହନାଥ ନାୟକ, ପ୍ରକାଶ ଚନ୍ଦ୍ର ନାୟକ, ଯାଦବାନନ୍ଦ ରାୟ, କିଶୋର ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ମହାନ୍ତି, ସନ୍ଧ୍ୟାରାଣୀ ମିଶ୍ର, ପ୍ରଣତୀ ରାୟ, ଅଞ୍ଜୁବାଳା ମହାନ୍ତି, ଶିବାନୀ ଦାସ, ପୂଜା ଦାସ, ରିୟା କିନ୍ନର, ମମତା ସ୍ୱାଇଁ, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ଲିଙ୍ଗରାଜ ସାହୁ, ବରୁଣ ମହାପାତ୍ର, ସୁବାଷ ପଟ୍ଟନାୟକ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ଉପସ୍ଥିତ ଥିଲେ। ଦିନକୁ ଦିନ ଏହି ନିରବ ପଦଯାତ୍ରା ଏକ ଦୀର୍ଘସ୍ଥାୟୀ ଜନସଚେତନତା ଅଭିଯାନର ରୂପ ନେଉଛି।

୧୮୬ ଦିନ ଧରି ଅବିରତ ଭାବେ ଚାଲିଥିବା ଏହି ପ୍ରୟାସରେ ସତ୍ୟାଗ୍ରହୀମାନେ ନିଜ ଦାବିର ସମାଧାନ ପାଇଁ ଶାନ୍ତିପୂର୍ଣ୍ଣ ଅପେକ୍ଷା ଜାରି ରଖିଛନ୍ତି। ସତ୍ୟ, ଶାନ୍ତି ଓ ଅହିଂସାକୁ ଆଧାର କରି ଚାଲିଥିବା ଏହି ଯାତ୍ରା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସତ୍ୟାଗ୍ରହୀମାନେ ପ୍ରକାଶ କରିଛନ୍ତି।
