ପୁରୀ: ଶ୍ରୀନଅରରେ ବ୍ରାହ୍ମଣ ବରଣ ସହ ଆରମ୍ଭ ହୋଇଛି ବିଧି ।ମୂଳାଷ୍ଟମୀ ଠାରୁ ଏହି ପୂଜା ଆରମ୍ଭ ହୋଇଥିବା ବେଳେ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଚାଲୁ ରହିବ ।ଅନ୍ୟପଟରେ ଶ୍ରୀମନ୍ଦିରରେ ଦୁର୍ଗା ମାଧବ ଏକତ୍ର ଉପାସନାର ଅନନ୍ୟ ପରମ୍ପରା ଆଜିଠାରୁ ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଷୋଡଶ ଦିନାତ୍ମକ ପୂଜା।ଶ୍ରୀକ୍ଷେତ୍ରର ରାଜେଶ୍ୱରୀ ହେଉଛନ୍ତି ମାଆ ବିମଳା ।ଶ୍ରୀଜଗନ୍ନାଥ ଭୈରବ ହେଲେ ମାଆ ବିମଳା ହେଉଛନ୍ତି ଭୈରବୀ।ତେଣୁ ଶ୍ରୀମନ୍ଦିର ରେ ଦେବୀ ବିମଳାଙ୍କ ପୀଠ ସମେତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ଦେବୀମାନଙ୍କ ପୀଠରେ ଆରମ୍ଭ ହୋଇଛି ଏହି ପୂଜା ।ଆଜି ମୂଳାଷ୍ଟମୀର ଏହି ତିଥିରେ ଆରମ୍ଭ ହୋଇଥିବା ପୂଜା ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଷୋଳ ଦିନ ଧରି ଜାରି ରହିବାର୍ ବିଧି ରହିଥାଏ। ତେବେ ଗଜପତିଙ୍କ ଶ୍ରୀନଅରରୁ ପରମ୍ପରା ମୁତାବକ ବିଧି ଆରମ୍ଭ ହୋଇଛି ।ବଙ୍ଗୀୟ ତଥା ଅନ୍ୟ ଅନେକ ପରମ୍ପରାରେ ଏହି ଶକ୍ତି ପୂଜା ତ୍ରିଦିନାତ୍ମକ କିମ୍ବା ପଞ୍ଚ ଦିନାତ୍ମକ ହୋଇଥିବା ବେଳେ ଶ୍ରୀକ୍ଷେତ୍ରରେ ଉତ୍କଳୀୟ ପରମ୍ପରା ଭାବରେ ଏହି ପୂଜା ୧୬ ଦିନାତ୍ମକ ହୋଇଥାଏ।ତେବ ଚଳିତ ବର୍ଷ ତିଥିକୁ ନଜରରେ ରଖି ୧୮ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡ଼ିଆ ପ୍ରଦାନ କରି ବ୍ରାହ୍ମଣ ବରଣ କରିଛନ୍ତି ।ପରମ୍ପରା ମୁତାବକ ଗଜପତି ମୁଖ୍ୟ ଆଚାର୍ଯ୍ୟ ଭାବରେ ରାଜଗୁରୁ ବା ପରିଛାଙ୍କୁ ବରଣ କରିଥାନ୍ତି ।ରାଜଗୁରୁ ସମସ୍ତ ବ୍ରାହ୍ମଣ ଙ୍କୁ ବରଣ କରିଥାନ୍ତି ।ଚଳିତବର୍ଷ ଶ୍ରୀନଅର ସିଂହଦ୍ୱାର ମହାବୀର ଙ୍କ ଠାରେ ପରମ୍ପରା ମୁତାବକ ବିମଳାଙ୍କ ପାର୍ବଣ ପୂଜକ ନରସିଂହପୁରର ରଥ ସାମନ୍ତ ବ୍ରାହ୍ମଣଙ୍କୁ ବରଣ କରାଯାଇଥିବା ବେଳେ ପାର୍ବଣ ପରିଛା ଓ ପାର୍ବଣ ପୁଜକଙ୍କୁ ବରଣ କରାଯାଇଛି ।ଏହି ଆଚାର୍ଯ୍ୟ ମାନେ ଷୋଡଶ ଦିନାତ୍ମକ ପୂଜା ବିଧି ଅନୁଯାୟୀ ପୁରୀରେ ଥିବା ବିଭିନ୍ନ ଶକ୍ତିପୀଠ ମାନଙ୍କରେ ଚଣ୍ଡୀପାଠ,ଦୁର୍ଗା ଆରାଧନା କରିବେ। ମନ୍ତ୍ରଜାପକ,ଚଣ୍ଡୀ ପାଠକ,ସହସ୍ର ନାମ ଜପକଙ୍କୁ ବିମଳାଙ୍କ ଜଗମୋହନରେ ,ଆଚାର୍ଯ୍ୟ ,ବରଣ କରିଥାନ୍ତି ।ଆଜି ଠାରୁ ଶ୍ରୀମନ୍ଦିରରେ ବିମଳାଙ୍କ ପାଖରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଥିବା ବେଳେ ଦୁର୍ଗାମାଧବ ଉପାସନା ମଧ୍ୟ କରାଯାଇଛି । ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ହେଉଛନ୍ତି ମାଧବ । ସର୍ବତ୍ର ଦୁର୍ଗାଙ୍କ ସହିତ ମହାଦେବଙ୍କ ଉପାସନାର ପରମ୍ପରା ଥିଲା ବେଳେ ଶ୍ରୀକ୍ଷେତ୍ରରେ ମାଧବଙ୍କ ସହିତ ଉପାସନାର ବିଧି ପ୍ରଚଳନ ରହିଛି । ଶାରଦୀୟ ପୂଜା ଅବସରରେ ବଡ଼ଦେଉଳରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ରତ୍ନଭଣ୍ଡାରରୁ ମା’ ଦୁର୍ଗାଙ୍କର ସ୍ୱର୍ଣ୍ଣ ପ୍ରତିମା ଆସି ସିଂହାସନରେ ବିଜେ ହୋଇଛନ୍ତି । ମା’ସୁଭଦ୍ରାଙ୍କ ଆଜ୍ଞାମାଳ ମା’ ଦୁର୍ଗାଙ୍କୁ ଲାଗି କରାଯାଇଛି । ମା’ ଦୁର୍ଗା ମାଜଣା ମଣ୍ଡପକୁ ବିଜେ ହୋଇ ଠାକୁରାଣୀଙ୍କ କୁମ୍ଭାଭିଷେକ ହୋଇଛି। ପଞ୍ଚୋପଚାରରେ ପୂଜା ସରିବା ପରେ ମାଧବଙ୍କ ପ୍ରତିମୂର୍ତ୍ତିଙ୍କୁ ବିଜେ କରାଯାଇ ଦୁର୍ଗାଙ୍କ ସହିତ ରୁନ୍ଧା ହୋଇ ଏକତ୍ର ଇନ୍ଦ୍ର ଆସନରେ ବିଜେ କରାଯାଇଛି। ଦୁର୍ଗା ମାଧବ ଉପାସନାର ଅନନ୍ୟ ଐତିହ୍ୟ କ୍ଷେତ୍ର ନାରାୟଣୀ ମନ୍ଦିର । ଆଶ୍ୱିନ ମାସରେ ଷୋଳପୂଜା ସମୟରେ ପ୍ରଥମ ଆଠ ଦିନ ଦୁର୍ଗା ମାଧବ ବିମଳାଙ୍କ ମନ୍ଦିର ଜଗମୋହନରେ ପୂଜା ପାଉଥିବା ବେଳେ ଶେଷ ୮ଦିନ ଶ୍ରୀମନ୍ଦିର ସମ୍ମୁଖ ପଟରେ ଥିବା ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ଯାଇଥାନ୍ତି । ଶାରଦୀୟ ଦୁର୍ଗାପୂଜା ପରିପ୍ରେକ୍ଷୀରେ ଗଇଁଠାଳ ପଡ଼ି ଦୁର୍ଗା ମାଧବ ଏକତ୍ର ପୂଜା ପାଇବା ଏହି ମନ୍ଦିର ଭିନ୍ନ ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ। ସେଥିପାଇଁ ଏହା ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା ଭାବେ ଅଭିହିତ ହୋଇଥାଏ ।ଶ୍ରୀମନ୍ଦିର ବେଢା ପରିସରରେ ମା’ ଭୁବନେଶ୍ୱରୀ, ମା’ ବାଟମଙ୍ଗଳା ଏବଂ ମା’ ଉତ୍ତରାୟଣୀଙ୍କ ପୀଠ ନିମନ୍ତେ ମଧ୍ୟ ପୂଜକ ଏବଂ ଚଣ୍ଡୀପାଠକ ମଧ୍ୟ ବରଣ କରାଯାଇଥିବା ବେଳେ ଶ୍ରୀକ୍ଷେତ୍ର ମଧ୍ୟରେ ଆଲମଚଣ୍ଡୀ, କପିଳେଶ୍ୱର ଶାସନର ପଞ୍ଚମୁଖୀ ଠାକୁରାଣୀ, ଦକ୍ଷିଣକାଳୀ ଭଳି ଅନେକ ଶକ୍ତିପୀଠ ରହିଛି ।ସେପଟେ ଶାରଦୀୟ ପୂଜାର୍ଚ୍ଚନା ଶୁଭାରମ୍ଭ ହେବାପରେ ଶ୍ରୀମନ୍ଦିରରେ ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀର ସ୍ୱତନ୍ତ୍ର ପୂଜା ହେବା ସହ ଦଶହରା ରେ ଆୟୁଧ ପୂଜା ଅନୁଷ୍ଠିତ ହେବାର ବିଧି ରହିଛି ।
