ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ତୁମୁଡ଼ିବନ୍ଧ ବନାଞ୍ଚଳରେ ହାତୀ ଆତଙ୍କ । କନ୍ଧମାଳ -କଳାହାଣ୍ଡି ସିମାନ୍ତ ତୁମୁଡ଼ିବନ୍ଧ ବନାଞ୍ଚଳର ଲଙ୍କାଗଡ଼ ପଞ୍ଚାୟତର ବାରିଙ୍ଗିଲି ଓ ଅର୍ଜୁନପୁର ଗାଁ ରେ ୫ଟି କିଆ ହାତୀ ପଲର ଆତଙ୍କ ଦେଖିବାକୁ ମିଳିଛି । ବାରିଙ୍ଗିଲି ଓ ଅର୍ଜୁନପୁର ର୍ଗାଁରେ ୫ଟି କିଆ ହାତୀ ପଲ ଗତ କିଛି ଦିନ ହେବ ଆତଙ୍କ ମଚାଇବା ସହ ଲୋକଙ୍କ ଧାନ ଫସଲ ଓ କପା ଚାଷ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଅଞ୍ଚଳର ପ୍ରାୟ ୨ ଏକରରୁ ଊର୍ଦ୍ଧ୍ୱ ଜମିରେ ହୋଇଥିବା ଧାନ ଚାଷ ନଷ୍ଟ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ହାତୀ ଉପଦ୍ରବକୁ ନେଇ ଅଞ୍ଚଳବାସୀ ଭୟଭୀତ ଥିବା ବେଳେ ଘଟଣାସ୍ଥଳରେ ବନବିଭାଗର ଅଧିକାରୀ ଓ କର୍ମଚାରୀ ପହଁଚି କ୍ଷୟକ୍ଷତିର ଆକଳନ କରୁଥିବା ବେଳେ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଅଞ୍ଚଳଟି କନ୍ଧମାଳ – କଳାହାଣ୍ଡି ସିମାନ୍ତ ହୋଇଥିବା ବେଳେ ବର୍ଷର ବିଭିନ୍ନ ସମୟରେ ଏହି ଅଞ୍ଚଳରେ ହାତୀ ଚଳପ୍ରଚଳ ରହିଥାଏ । ବନ ବିଭାଗ ଏଥିପ୍ରତି ସଜାଗ ଅଛି ଏବଂ ସମସ୍ତ ସ୍ଥିତିକୁ ଅନୁଧ୍ୟାନ କରୁଛି । କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟକ୍ଷତିର ଆକଳନ ଚାଲିଛି,ପରେ ସରକାରୀ ନିୟମାନୁସାରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
