ହିନ୍ଦୋଳ: କୂଅରେ ବୁଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଏପରି ଏକ ଦୁଃଖଦ ଘଟଣା ରାଧାନାଥପୁର ଗ୍ରାମରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ହିନ୍ଦୋଳ ଥାନା ଅନ୍ତର୍ଗତ ହିନ୍ଦୋଳ ଏନ୍ଏସିର ୧ ନମ୍ବର ୱାର୍ଡ୍ ରାଧାନାଥପୁର ଗ୍ରାମର ବେଣୁଧର ନାଏକଙ୍କର ପୁଅ ଜଗନ୍ନାଥ ନାଏକ(୨୮) ଗ୍ରାମ ନିକଟସ୍ଥ ରାଇମୁଣ୍ଡାକୁ କୌଣସି କାମରେ ଯାଇଥିବାବେଳେ ସେଠାରେଥିବା କୂଅରେ ପଡ଼ି ବୁଡ଼ିଯାଇଥିଲେ । ଯୁବକଙ୍କର ପରିବାରଲୋକେ ଗୁରୁତର ଅବସ୍ଥାରେ ହିନ୍ଦୋଳ ଉପଖଣ୍ଡ ଡ଼ାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଦୁଃଖଦ ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଘଟ ହେବାପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
