ବାରିପଦା; ମୟୂରଭଞ୍ଜ ଜିଲ୍ଲା, ଗଡ଼ଦେଉଳିଆ ପଞ୍ଚାୟତର ବାଲକା ଗ୍ରାମରେ ଶୁକ୍ରବାର ବନବିଭାଗ ପକ୍ଷରୁ ପୁଲିସଫୋର୍ସ ସହାୟତାରେ ମିଳିତ ଚଢ଼ାଉ କରାଯାଇ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ କାଠପଟା, କାଠଗଣ୍ଡି ସମେତ କରତକଳ ଯନ୍ତ୍ରାଂଶ ଓ ଭୁଟୁଭୂଟି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଉଛି ବାଲେଶ୍ୱର ଜିଲ୍ଲା ରେମୁଣା ଥାନା କଲ୍ୟାଣପୁର ପଞ୍ଚାୟତ ଅଧୀନ ଗୁଣଦା ଗ୍ରାମର ବଂଶୀଧର ପ୍ରଧାନଙ୍କ ପୁଅ ମୁରଲୀଧର ପ୍ରଧାନ(୪୦) ।

ସୂଚନା ମୁତାବକ ବାଲକା ଗ୍ରାମରେ ବେଆଇନ ଭାବରେ ଭ୍ରାମ୍ୟମାଣ କରତକଳ ସହାୟତାରେ କାଠଗଣ୍ଡି ଆଣି କାଠପଟା, ଦ୍ୱାର ଏବଂ ଝରକାବନ୍ଧ ସମେତ ବହୁ ମୂଲ୍ୟବାନ ସାମଗ୍ରୀ ପ୍ରସ୍ତୁତକରି ଜିଲ୍ଲା ସମେତ ଜିଲ୍ଲା ବାହାରକୁ ଚାଲାଣ କରାଯିବା ବାବଦରେ ବନବିଭାଗକୁ ଖବର ମିଳିଥିଲା । ଏହାପରେ ବାରିପଦା ବନଖଣ୍ଡ ଏସିଏଫ ଶେଖ ମେହେରବାନ ଅଲ୍ଲୀଙ୍କ ଉପସ୍ଥିତିରେ ବେତନଟୀ ରେଞ୍ଜର ଜ୍ୟୋତିରଞ୍ଜନ ସେନାପତି , ବେତନଟୀ ବନପାଳ କାର୍ତ୍ତିକଚନ୍ଦ୍ର ରାଉତ, କୃଷ୍ଣଚନ୍ଦ୍ରପୁର ବନପାଳ ପଦ୍ମାବତୀ ବେହେରା, ବୈଶିଙ୍ଗା ବନପାଳ ଅଙ୍କୁର ମହାଳିକ, ବଡାମପୁର ବନପାଳ ଦୀପକ ପାତ୍ରଙ୍କ ସମେତ ବନରକ୍ଷୀ, ପାରା ବନକର୍ମଚାରୀ ଏବଂ ବୈଶିଙ୍ଗା ପୁଲିସ ଦଳ ସହାୟତାରେ ସଦଳବଳେ ଅତର୍କିତ ଚଢ଼ାଉ କରିଥିଲେ ।

ଚଢ଼ାଉ ସମୟରେ କାଠ ମାଫିଆ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଜଣକୁ କାବୁ କରିବାରେ ସେମାନେ ସଫଳ ହୋଇଥିଲେ । ଘଟଣାସ୍ଥଳରୁ ଗୋଟିଏ ଭୁଟୁଭୂଟି, ଭ୍ରାମ୍ୟମାଣ କରତକଳର ଯନ୍ତ୍ରାଂଶ, ବ୍ଲେଡ ସମେତ ଦୁଇ ପିକଅପ କାଠପଟା ଏବଂ ଗୋଟିଏ ପିକଅପ କାଠଗଣ୍ଡି ଜବତ କରାଯାଇ ବେତନଟୀ ରେଞ୍ଜର କାର୍ଯ୍ୟାଳୟକୁ ଅଣାଯାଇଛି କ୍ଷ ତେବେ ଜବତ ମୂଲ୍ୟବାନ କାଠପଟା, କାଠଗଣ୍ଡି ଏବଂ ଭୁଟୁଭୁଟି ସମେତ କରତକଳର ଯନ୍ତ୍ରାଂଶର ଆନୁମାନିକ ମୂଲ୍ୟ ୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବାନେଇ ଆକଳନ କରାଯାଇଛି ।
