ଅମୃତସର: ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଶୁକ୍ରବାର ଦିନ ହକି କିମ୍ବଦନ୍ତୀ ପରଗତ ସିଂହଙ୍କୁ ପଞ୍ଜାବ ରାଜ୍ୟ ଶାଖାର ମୁଖ୍ୟ ଭାବେ ନିଯୁକ୍ତ କରିଛି। ରାଜ୍ୟରେ ଦଳର ନେତୃତ୍ୱକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସହ ମତଭେଦ ଯୋଗୁଁ ଅମରିନ୍ଦର ସିଂହ ରାଜା ୱାରିଙ୍ଗ ନିଜ ପଦରୁ ଇସ୍ତଫା ଦେବାର କିଛି ଦିନ ପରେ ଏହି ନିଯୁକ୍ତି ହୋଇଛି। ‘ମାନ୍ୟବର କଂଗ୍ରେସ ସଭାପତି ଶ୍ରୀ ପରଗତ ସିଂହଙ୍କୁ ତୁରନ୍ତ ଲାଗୁ ହେଲା ଭଳି ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତ କରିଛନ୍ତି। ଦଳ ବିଦାୟୀ ପିସିସି ସଭାପତି ଶ୍ରୀ ଅମରିନ୍ଦର ସିଂହ ରାଜା ୱାରିଙ୍ଗଙ୍କ ଅବଦାନକୁ ପ୍ରଶଂସା କରୁଛି। ପଞ୍ଜାବରେ ବିଭିନ୍ନ ନିର୍ବାଚନ ସମ୍ବନ୍ଧୀୟ କମିଟିର କାର୍ଯ୍ୟକାରୀ ସଭାପତି, ଅଧ୍ୟକ୍ଷ ଏବଂ ସହ-ଅଧ୍ୟକ୍ଷମାନେ ପୂର୍ବଭଳି ନିଜ ଦାୟିତ୍ୱ ଜାରି ରଖିବେ’ ବୋଲି ଦଳ ଏକ ବିବୃତ୍ତିରେ କହିଛି। ହକି ଖେଳାଳିରୁ ରାଜନେତା ପାଲଟିଥିବା ପରଗତ ସିଂହ ଚନ୍ନି ଏବଂ ସଚିନ ପାଇଲଟ୍ଙ୍କ ଘନିଷ୍ଠ ବୋଲି ଜଣାଶୁଣା। ତାଙ୍କ ନିଯୁକ୍ତିକୁ ୨୦୨୭ ବିଧାନସଭା ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କ ନିକଟକୁ ଏକ ବାର୍ତ୍ତା ଭାବେ ଦେଖାଯାଉଛି, ଯାହା ମାଧ୍ୟମରେ କଂଗ୍ରେସ ପଞ୍ଜାବରେ କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଛି। ୱାରିଙ୍ଗ ପରଗତ ସିଂହଙ୍କୁ ତାଙ୍କ ନିଯୁକ୍ତି ପାଇଁ ଅଭିନନ୍ଦନ ଜଣାଇବା ସହ ସଫଳତା କାମନା କରିଛନ୍ତି। ସେ “ଏକ୍ସ’ (ଢ) ରେ କହିଛନ୍ତି, “ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତ ହୋଇଥିବାରୁ ସର୍ଦ୍ଦାରଜୀଙ୍କୁ ଅଭିନନ୍ଦନ।’ ରାଜ୍ୟରେ ଦଳର ନେତୃତ୍ୱକୁ ନେଇ ଚନ୍ନିଙ୍କ ସହ ମତଭେଦ ଯୋଗୁଁ ୱାରିଙ୍ଗ ସେପେ୍୍ଟମ୍ବର ୩୦ ତାରିଖରେ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଆସନ୍ତା ବର୍ଷ ଆରମ୍ଭରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।
