ବାରିପଦା / ସାହାରପଡା; ସାହାରପଡ଼ା: ବେଆଇନ କାଠ କାରବାର ଉପରେ ବନ ବିଭାଗର କଡ଼ା ନଜର। କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସାହାରପଡ଼ା ସେକ୍ସନ ଅନ୍ତର୍ଗତ ଗୋରାଣ୍ଡିଯୋଡ଼ି ବିଟ୍ର ଭୋଳପଡ଼ା ଗ୍ରାମାର ବନ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଘର ପରିସରରୁ ବହୁ ପରିମାଣର ଶାଗୁଆନ ଓଗମ୍ବାରି କାଠ ପଟା ଜବତ ହୋଇଥିବା ବେଳେ ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନ ବିଭାଗ ସୂଚନା ଦେଇଛି। ସୂଚନା ଅନୁଯାୟୀ, ଭୋଳପଡ଼ା ଗ୍ରାମାର ବେଆଇନ ଭାବେ କାଠ ବ୍ୟବସାୟ ଚାଲିଥିବା ନେଇ ବନ ବିଭାଗକୁ ଖବର ମିଳିଥିଲା। ଏହାପରେ ପାଟଣା ବନାଞ୍ଚଳ ଅଧିକାରୀ ଆର୍ତ୍ତତ୍ରାଣ ମିର୍ଦ୍ଧାଙ୍କ ନେତୃତ୍ୱାର ଏକ ସ୍ୱତନ୍ତ୍ର ବନ ବିଭାଗୀୟ ଦଳ ଭୋଳପଡ଼ାରେ ଅଚାନକ ପହଞ୍ଚି ଚଢ଼ାଉ କରିଥିଲା।

ଚଢ଼ାଉ ବେଳେ ଘର ପରିସରରୁ ବହୁ ପରିମାଣର କାଠ ପଟା ମିଳିବା ପରେ ସେଗୁଡ଼ିକୁ ବନ ବିଭାଗ ଜବତ କରି ନିଜ ହେପାଜତକୁ ନେଇଛି।ଏହି ଘଟଣାରେ ରୋହିତ କୁମାର ନାଏକଙ୍କୁ ବନ ବିଭାଗ ଅଟକ ରଖିଥିବା ସୂଚନା ମିଳିଛି। ତାଙ୍କୁ ପଚରାଉଚରା ପରେ ଆଇନାନୁଯାୟୀ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ଚଢ଼ାଉରେ ପାଟଣା ବନପାଳ ନିରଞ୍ଜନ ସେଠୀ, ସାହାରପଡ଼ା ବନପାଳ ଶ୍ରୀମନ୍ତ ବେହେରାଙ୍କ ସମେତ ପାରା କର୍ମଚାରୀ ଓ ଅନ୍ୟ ବନ କର୍ମଚାରୀ ସାମିଲ ଥିଲେ। ଜବତ କାଠର ବୈଧତା, କାଠ କେଉଁ ଠାରୁ ଆସିଥିଲା ଏବଂ ଏହି କାରବାର ପଛରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ବେଆଇନ କାଠ କାରବାର ଉପରେ ଆଗାମୀ ଦିନରେ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ କୁହା ଯାଇଛି।
