କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଘଷିପୁରା ଥାନା ଅଞ୍ଚଳରେ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ବିରୋଧରେ ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ଗୁରୁବାର ଦିନ ରାତିରେ ପୁଲିସ ପକ୍ଷରୁ କରାଯାଇଥିବା କଡ଼ା ରାତ୍ରିକାଳୀନ ଯାଞ୍ଚ ଓ ଚଢ଼ଉ ସମୟରେ ବେଲବାହାଳି ଅଞ୍ଚଳରୁ ୨ଟି ଏବଂ କୁମଡ଼ ଘାଟ ଅଞ୍ଚଳରୁ ୨ଟି ବାଲି ବୋଝେଇ ହାଇୱାକୁ ମିଶାଇ ମୋଟ ୪ଟି ହାଇୱା ଜବତ କରାଯାଇଛି। ଗାଡ଼ିଗୁଡ଼ିକର ତନଖି ବେଳେ ବାଲି ପରିବହନ ସମ୍ପର୍କିତ କୌଣସି ବୈଧ ଅନୁମତି, ଦସ୍ତାବିଜ ବା ଆବଶ୍ୟକୀୟ କାଗଜପତ୍ର ନଥିବା ସ୍ପଷ୍ଟ ହୋଇଥିଲା। ଏହି ବେଆଇନ କାର୍ଯ୍ୟକଳାପକୁ ନେଇ ଘଷିପୁରା ଥାନାରେ ୪ଟି ପୃଥକ ମାମଲା ରୁଜୁ କରାଯାଇଥିବା ବଳେ ଜବତ ହାଇୱାଗୁଡ଼ିକୁ ପୁଲିସ ହେପାଜତରେ ରଖାଯାଇଛି। ଏହି ବାଲି କେଉଁଠାରୁ ଉଠାଯାଇଥିଲା, କେଉଁଆଡ଼େ ଚାଲାଣ କରାଯାଉଥିଲା ଏବଂ ଏହାର ପଛରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ଏସ୍?ଡିପିଓ କମଳ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୁଲିସ ପକ୍ଷରୁ ବ୍ୟାପକ ତଦନ୍ତ ଜାରି ରହିଛି। ବେଆଇନ ବାଲି ଚାଲାଣ ଯୋଗୁଁ ସରକାରୀ ରାଜସ୍ୱ ହାନି ହେବା ସହିତ ନଦୀର ସ୍ରୋତ ଓ ସ୍ଥାନୀୟ ପରିବେଶ ପ୍ରଭାବିତ ହେଉଥିବାରୁ ଏଭଳି ବେଆଇନ କାର୍ଯ୍ୟକୁ ଦମନ କରିବା ପାଇଁ ଆଗାମୀ ଦିନରେ ଏଭଳି ଚଢ଼ଉ ଓ କଡ଼ା କାର୍ଯ୍ୟାନୁଷ୍ଠାନ ଅଧିକ ବ୍ୟାପକ କରାଯିବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ଦୃଢ଼ ଚେତାବନୀ ଦିଆଯାଇଛି।
