ଦଶପଲ୍ଲା: ଦଶପଲ୍ଲା-ଭୁବନେଶ୍ୱର ମେମୁ ଟ୍ରେନରୁ ଜଣେ କଲେଜ ପ୍ରିନ୍ସିପାଲଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଶରଣକୁଳ କଲେଜର ପ୍ରିନ୍ସିପାଲ ମହେଶ୍ୱର ମହାପାତ୍ର ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ମହେଶ୍ୱର ଆଜି ସକାଳେ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଆସୁଥିଲେ। ବେଗୁନିଆ ଷ୍ଟେସନ ପର୍ଯ୍ୟନ୍ତ ସେ ପରିବାର ଲୋକଙ୍କ ସହ ଫୋନରେ ଯୋଗାଯୋଗରେ ଥିଲେ। କିନ୍ତୁ ବେଗୁନିଆ ପରେ ପରିବାର ଲୋକେ ବାରମ୍ବାର ଫୋନ କରିଥିଲେ ମଧ୍ୟ ଫୋନ ରିଂ ହେଉଥିଲା, ହେଲେ ସେ ରିସିଭ କରି ନଥିଲେ। ସନ୍ଦେହ ହେବାରୁ ପରିବାର ଲୋକେ ନୟାଗଡ଼ ଷ୍ଟେସନରେ ଆସି ଅପେକ୍ଷା କରିଥିଲେ। କିନ୍ତୁ ଟ୍ରେନ ନୟାଗଡ଼ ଅତିକ୍ରମ କରି ଦଶପଲ୍ଲା ଆଡ଼କୁ ଚାଲିଆସିଥିଲା ଏବଂ ମହେଶ୍ୱର ଓହ୍ଲାଇ ନଥିଲେ।ପରେ ଦଶପଲ୍ଲା ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ଯାତ୍ରୀମାନେ ତାଙ୍କୁ ଟ୍ରେନ ଭିତରେ ମୁହଁ ମାଡ଼ି ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଜିଆରପି ପୋଲିସ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପରିବାର ଲୋକେ ମେଡିକାଲରେ ପହଞ୍ଚି ଦେଖିବା ବେଳକୁ ମହେଶ୍ୱରଙ୍କ ହାତରେ ମୁଦି, ମୋବାଇଲ ଫୋନ ଏବଂ ବ୍ୟାଗ ନଥିଲା। ତେଣୁ କୌଣସି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ସମସ୍ତ ଜିନିଷ ଲୁଟି ନେଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
