କଳାହାଣ୍ଡି: ଇଣ୍ଡି ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନର ପ୍ରଭାବ କେବଳ ସହରାଞ୍ଚଳରେ ଦେଖିବାକୁ ମିଳିଥିବା ବେଳେ ଗ୍ରାମାଞ୍ଚଳରେ ଏହାର ପ୍ରଭାବ ପ୍ରାୟ ଶୂନ ରହିଥିଲା। ବନ୍ଦ ଯୋଗୁଁ ଧର୍ମଗଡ଼ ସହରର ବିଭିନ୍ନ ଦୋକାନବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା। ବନ୍ଦ ସମର୍ଥନରେ କଂଗ୍ରେସ , ସିପିଆଇ, ସମାଜବାଦୀ ପାର୍ଟି ଓ ସମର୍ଥକମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନବଜାର ବନ୍ଦ ରଖିବା ସହ ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ। ଧର୍ମଗଡ଼ ଚାରିଛକ ଠାରେ ଆନ୍ଦୋଳନକାରୀମାନେ ଜାତୀୟ ରାଜପଥ ୧୩୦ସି ରାସ୍ତା ଅବରୋଧ କରିଥିବାରୁ ସକାଳ ୬ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଯାତାୟାତ ଠପ୍? ହୋଇଯାଇଥିଲା। ଏମ୍ଏମ୍ଡିଆର୍ ସଂଶୋଧନ ଆଇନ-୨୦୨୬ ପ୍ରତ୍ୟାହାର, ଏସ୍ଆଇଆର୍ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି ଆନ୍ଦୋଳନକାରୀ ମାନେ ନାରାବାଜି ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ବନ୍ୟା ପ୍ରଭାବିତ ଲୋକଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ମଧ୍ୟ ଦାବି କରାଯାଇଥିଲା। ଅନ୍ୟପକ୍ଷରେ ଧର୍ମଗଡ଼ ବ୍ଲକ ର ଗ୍ରାମାଞ୍ଚଳରେ ବନ୍ଦର ସେଭଳି ପ୍ରଭାବ ପରିଲକ୍ଷିତ ହୋଇନଥିଲା। ଗ୍ରାମାଞ୍ଚଳର ସ୍କୁଲ କଲେଜ, ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ, ଦୋକାନବଜାର ଓ ସାଧାରଣ ଜୀବନଯାପନ ସ୍ୱାଭାବିକ ରହିଥିବା ବେଳେ ଧର୍ମଗଡ ସହରରେ ଅପରାହ୍ନ ୩ଟା ପରେ ଗାଡ଼ି ଚଳାଚଳ ମଧ୍ୟ ସ୍ୱାଭାବିକ ହୋଇଥିଲା। ବନ୍ଦକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ତେବେ ଜରୁରୀକାଳୀନ ସେବାଗୁଡ଼ିକୁ ବନ୍ଦରୁ ବାଦ ଦିଆଯାଇଥିଲା।
