ପୁରୀ: ୨୯. ୯. ୨୬ ଦୀର୍ଘ ୪ଦଶନ୍ଧି ରୁ ଉର୍ଦ୍ଧ୍ୱ ସମୟ ଧରି ଶ୍ରୀଜଗନ୍ନାଥମହାପ୍ରଭୁ ଙ୍କ ଅଧର ହାଣ୍ଡି ପ୍ରସ୍ତୁତ କରି ଆସୁଥିବା କୁମ୍ଭାରପଡ଼ାର ଲକ୍ଷ୍ମୀଧର ବିଶୋଇଙ୍କ ଆଜି ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ବର୍ଷ ବୟସ ହୋଇଥିଲା। ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସ୍ୱର୍ଗତ ବିଶୋଇଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଓଡ଼ିଶା କୁରାଳ ମହାସଂଘ ପୁରୀ ଜିଲ୍ଲା , ପୁରୀ କୁମ୍ଭକାର ସମିତି, କୁମ୍ଭକାର ନିଯୋଗ ପକ୍ଷରୁ ଶୋକ ପ୍ରକାଶ କରାଯିବା ସଙ୍ଗେ ସଙ୍ଗେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ଙ୍ଖଆଜି ସନ୍ଧ୍ୟା ରେ ପାର୍ôଥବ ଶରୀର ଭୁବନେଶ୍ୱରରୁ ଆସି କୁମ୍ଭାରପଡ଼ା ସ୍ଥିତ ବାସଭବନରେ ପହଂଚିବା ପରେ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏକ ଶୋଭାଯାତ୍ରାରେ ସ୍ୱର୍ଗଦ୍ୱାର ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଜ୍ୟେଷ୍ଠପୁତ୍ର ରାଜେଶ କୁମାର ବିଶୋଇ ମୁଖାଗ୍ନି ଦେଇଥିଲେ। ସ୍ୱର୍ଗତ ବିଶୋଇ ଓଡ଼ିଶା କୁରାଳ ମହାସଂଘ ସହିତ ଦୀର୍ଘ ଦିନ ଧରି ଜଡିତ ରହି କୁମ୍ଭକାର ମାନଙ୍କ ଉନ୍ନତିକଳ୍ପେ ଅନେକ କାର୍ଯ୍ୟ କରିଥିଲେ। ସୂଚନା ଥାଉ କି ଗୁଣନିଧି ବିଶୋଇଙ୍କ ପରେ ଦୀର୍ଘ ୪୦ବର୍ଷ ଧରି ଲକ୍ଷ୍ମୀଧର ବିଶୋଇ ରଥଯାତ୍ରା ପାଇଁ ଅଧର ହାଣ୍ଡି ଏବଂ କୋଠ ଭୋଗ ପାଇଁ ମାଟି ସାମଗ୍ରୀ ନିର୍ମାଣ ପୂର୍ବକ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସେବା କାର୍ଯ୍ୟ କରି ଆସୁଥିଲେ। ସେ ସଂକୀର୍ତନମଣ୍ଡଳୀର ଜଣେ ଦକ୍ଷ ମୃଦଙ୍ଗ ବାଦକ ଥିଲେ।ମହାପ୍ରଭୁଙ୍କ ଅଧରହାଣ୍ଡି ସେବକ ଲକ୍ଷ୍ମୀଧର ବିଶୋଇଙ୍କ ଆକସ୍ମିକ ବିୟୋଗରେ ପୁରୀ କୁମ୍ଭକାର ସମାଜରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି.। ପୁରୀ କୁମ୍ଭକାର ସମିତି ସଭାପତି ରାଧାମୋହନ ବିଶୋଇ,ସମ୍ପାଦକ କୈଳାସ ବିଶୋଇ, କୁମ୍ଭକାର ନିଯୋଗର ଉପଦେଷ୍ଟା ମହେନ୍ଦ୍ର ବିଶୋଇ, ଯୁବ ନେତା ମନୋଜ କୁମାର ବିଶୋଇ, ସଂଗଠକ ସଚ୍ଚିଦାନନ୍ଦ ବିଶୋଇ, ସର୍ବେଶ୍ୱର ବିଶୋଇ,ପ୍ରଶାନ୍ତ କୁମାର ବିଶୋଇଙ୍କ ସମେତ କୁମ୍ଭକାର ସଂଗଠନର ଅନେକ ଜିଲ୍ଲା ତଥା ରାଜ୍ୟସ୍ତରୀୟ ନେତୃବୃନ୍ଦ ସ୍ୱର୍ଗତ ବିଶୋଇଙ୍କ ବିୟୋଗ ରେ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି।
