ମସ୍କୋ: ରୁଷର ସୁଦୂର ପୂର୍ବ ଆମୁର୍ ଅଞ୍ଚଳରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏଥିରେ ଥିବା ୬ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ବୋଲି ମଙ୍ଗଳବାର ଦିନ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି। ଏକ ନିୟମିତ ପ୍ରଶିକ୍ଷଣ ଅଭିଯାନ ସମୟରେ ଏହି ଟିୟୁ-୯୫ ରଣନୈତିକ ବୋମ୍ବର୍ (ବୋମା ବର୍ଷଣକାରୀ ବିମାନ) ଏକ ଦୁର୍ଗମ ଅଞ୍ଚଳରେ ଖସିପଡ଼ିଥିଲା ବୋଲି “ଇଣ୍ଟରଫ୍ୟାକ୍ସ’ ସମ୍ବାଦ ସଂସ୍ଥା ଜଣେ ସାମରିକ ମୁଖପାତ୍ରଙ୍କ ଉଦ୍ଧୃତିରୁ ପ୍ରକାଶ କରିଛି। ଦୁର୍ଘଟଣା ସମୟରେ ବିମାନରେ କୌଣସି ଅସ୍ତ୍ରଶସ୍ତ୍ର ନଥିଲା। ଦୁର୍ଘଟଣାରେ ଜଣେ କର୍ମଚାରୀ ବଞ୍ଚିଯାଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।

ଘଟଣାର ତଦନ୍ତ ପାଇଁ ବାୟୁସେନା ଅଧିକାରୀମାନଙ୍କୁ ଦୁର୍ଘଟଣାସ୍ଥଳକୁ ପଠାଯାଇଛି। ହଭଷର ଆଇନ ଶୃଙ୍ଖଳା ରକ୍ଷାକାରୀ ଓ ସୁରକ୍ଷା ସଂସ୍ଥା ସହ ଜଡ଼ିତ ଟେଲିଗ୍ରାମ୍ ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ରିପୋର୍ଟ ଅନୁଯାୟୀ, ଇଞ୍ଜିନ୍ରେ ନିଆଁ ଲାଗିବା ଓ ବିସ୍ଫୋରଣ ଘଟିବା କାରଣରୁ ଏହି ବୋମ୍ବର୍ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥାଇପାରେ। ଦୁର୍ଘଟଣାର ସମ୍ଭାବ୍ୟ କାରଣ ସମ୍ପର୍କରେ ଅଧିକାରୀମାନେ କୌଣସି ମନ୍ତବ୍ୟ ଦେଇନାହାନ୍ତି। ସୂଚନା ଅନୁଯାୟୀ, ଏହି ବିମାନଟି ରୁଷର ଅନ୍ୟତମ ବୃହତ୍ତମ ଦୂରଗାମୀ ବାୟୁସେନା ଘାଟି ଉକ୍ରାଇଙ୍କାଠାରେ ମୁତୟନ ଥିଲା। ରିପୋର୍ଟ ଅନୁସାରେ, ଉକ୍ରାଇଙ୍କା ଘାଟିର ଉତ୍ତର ଦିଗରେ ୩୦ କିଲୋମିଟର (୧୮.୫ ମାଇଲ୍) ଦୂରରେ ଥିବା କ୍ରାସ୍ନୋୟାରୋଭୋ ଗ୍ରାମ ନିକଟରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
