ରାୟପୁର: ଶନିବାର ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ବିସ୍ଫୋରଣରେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି)ର ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି। ଡିମାଇନିଂ ଅପରେସନ୍ ସମୟରେ ସେମାନେ ଏହାକୁ ନିଷ୍କ୍ରିୟ କରିବାକୁ ଚେଷ୍ଟା କରୁଥିବା ସମୟରେ ବୋମାଟି ବିସ୍ଫୋରଣ ହୋଇଥିଲା। ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୩୧ ତାରିଖରେ ଦେଶକୁ ସଶସ୍ତ୍ର ମାଓବାଦୀ ମୁକ୍ତ ଘୋଷଣା କରାଯିବା ପରେ ଛତିଶଗଡ଼ରେ ନକ୍ସଲ କାର୍ଯ୍ୟକଳାପ ସହିତ ଜଡିତ ଏହା ପ୍ରଥମ ବିସ୍ଫୋରଣ ଘଟଣା। ପୁଲିସଙ୍କ କହିବା ଅନୁଯାୟୀ, ନକ୍ସଲ ଦ୍ୱାରା ବିଛାଯାଇଥିବା ଆଇଇଡିଗୁଡ଼ିକୁ ଚିହ୍ନଟ କରିବା ଏବଂ ମାଓ ପ୍ରଭାବିତ ଅଞ୍ଚଳରେ ସେଗୁଡ଼ିକୁ ନିଷ୍କ୍ରିୟ କରିବା ପାଇଁ ସୁରକ୍ଷା ବାହିନୀ ଏକ ବଡ଼ ଡିମାଇନିଂ ଅପରେସନ୍ ଆରମ୍ଭ କରିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ନାରାୟଣପୁର ଜିଲ୍ଲା ସୀମା ନିକଟବର୍ତ୍ତୀ ଛୋଟେବେଠିଆ ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଏକ ଜଙ୍ଗଲ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା, ଯେତେବେଳେ ଏକ ଡିଆରଜ ଦଳ ନକ୍ସଲମାନଙ୍କ ଦ୍ୱାରା ପୂର୍ବରୁ ଲଗାଯାଇଥିବା ଆଇଇଡିଗୁଡିକୁ ଚିହ୍ନଟ ଏବଂ ନିଷ୍କ୍ରିୟ କରିବା ପାଇଁ ଏକ ଡିମାଇନିଂ ଅପରେସନ୍ କରୁଥିଲେ। ସୁରକ୍ଷା ଅଧିକାରୀମାନେ ଡିମାଇନିଂ ଅପରେସନ୍ ସମୟରେ କାଙ୍କେରରେ ଏକ ଆଇଇଡି ଚିହ୍ନଟ କରିଥିଲେ ଏବଂ ସେମାନେ ଏହାକୁ ନିଷ୍କ୍ରିୟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। କିନ୍ତୁ, ସେମାନେ ଏହାକୁ ନିଷ୍କ୍ରିୟ କରିବା ସମୟରେ ବୋମାଟି ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଜଣେ ଆହତ ହୋଇଥିଲେ। ଇନ୍ସପେକ୍ଟର ସୁଖରାମ ଭାଟି, କନଷ୍ଟେବଳ କୃଷ୍ଣ କୋମରା ଏବଂ କନଷ୍ଟେବଳ ସଞ୍ଜୟ ଗଡପାଲେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଆଉ ଜଣେ ଆହତ କନଷ୍ଟେବଳ ପରମାନନ୍ଦ କୋମରାଙ୍କୁ ହସ୍ପିଟାଲକୁ ନିଆଯାଇଛି। ବସ୍ତର ରେଞ୍ଜର ପୋଲିସ ମହାନିରୀକ୍ଷକ ସୁନ୍ଦରରାଜ ପଟ୍ଟିଲିଙ୍ଗମ କହିଛନ୍ତି ଯେ, ଗତ କିଛି ମାସ ମଧ୍ୟରେ ଆତ୍ମସମର୍ପଣ କରିଥିବା ମାଓବାଦୀ କ୍ୟାଡରଙ୍କ ସୂଚନା ଏବଂ ଅନ୍ୟାନ୍ୟ ଗୁପ୍ତ ସୂଚନା ଆଧାରରେ, ସୁରକ୍ଷା ବାହିନୀ କାଙ୍କେର ସମେତ ସାତଟି ଜିଲ୍ଲାକୁ ନେଇ ବସ୍ତର ରେଞ୍ଜରେ ପୂର୍ବରୁ ଲଗାଯାଇଥିବା ଶହ ଶହ ଆଇଇଡି ଉଦ୍ଧାର ଏବଂ ନିଷ୍କ୍ରିୟ କରିଛନ୍ତି।
