ବାରିପଦା /ସାହାରପଡା; କେନ୍ଦୁଝର ଜିଲ୍ଲା,ପାଟଣାରେ ଚାଞ୍ଚଲ୍ୟ। ଜଣେ ବ୍ୟବସାୟୀଙ୍କୁ ଗୁଳିମାରି ଓ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିବା ପରେ ଟଙ୍କା ବ୍ୟାଗ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ପାଟଣା-କେନ୍ଦେଇପୋଷି ରାସ୍ତାର ହନୁମାନ ଛକ ନିକଟ ଆକାଶିଆ ଜଙ୍ଗଲରେ ସୋମବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଘଟିଛି ଏହି ଘଟଣା। ମୃତକ ହେଲେ କେନ୍ଦେଇପୋଷି ପଞ୍ଚାୟତ ଖଜିରାପୋଷି ଗ୍ରାମର ୪୨ ବର୍ଷୀୟ ତ୍ରିଲୋଚନ ମହାନ୍ତ।
ସୂଚନା ଅନୁସାରେ, ତ୍ରିଲୋଚନ,କେନ୍ଦେଇପୋଷି ବଜାରର ବଲାଣିପୋଷି ରାସ୍ତାରେ ଏକ ଜନସେବା କେନ୍ଦ୍ର ସହ ବ୍ୟାଙ୍କିଂ ସେବା କେନ୍ଦ୍ର ଚଳାଉଥିଲେ। ସୋମବାର ରାତିରେ ଦୋକାନ ବନ୍ଦ କରି ଟଙ୍କା ବ୍ୟାଗ୍ ଧରି ସ୍କୁଟି ଯୋଗେ ପାଟଣା ଥାନା ନିକଟସ୍ଥ କ୍ୱାର୍ଟର୍ସକୁ ଫେରୁଥିବା ବେଳେ ହନୁମାନ ଛକ ନିକଟ ଜଙ୍ଗଲରେ ତାଙ୍କୁ ଦୁର୍ବୃତ୍ତମାନେ ଅଟକାଇଥିଲେ ଏବଂ ଟଙ୍କା ବ୍ୟାଗ ମାଗିଥିଲେ । ଟଙ୍କା ବ୍ୟାଗ୍ ନଦେବାରୁ ତ୍ରିଲୋଚନଙ୍କ ସହ ଦୁର୍ବୃତ୍ତଙ୍କ ଧସ୍ତାଧସ୍ତି ହୋଇଥିଲା। ଏହାପରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରି ଟଙ୍କା ବ୍ୟାଗ୍ ନେଇ ଫେରାର୍ ହୋଇଥିବା ର ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତ୍ରିଲୋଚନ ଘଟଣାସ୍ଥଳରେ ପଡ଼ିଥିବା ବେଳେ ଖବର ପାଇ ପାଟଣା ଥାନା ପୋଲିସ ଓ ତୁରୁମୁଙ୍ଗା ଥାନା ପୋଲିସ ପହଞ୍ଚିଥିଲେ। ତାଙ୍କୁ ଉଦ୍ଧାର କରି ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା।

ହେଲେ ସେଠାରେ ଡାକ୍ତର ତ୍ରିଲୋଚନଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଆଡିସନାଲ ଏସ୍ପି ପ୍ରତ୍ୟୁଷ ମହାପାତ୍ର, ଚମ୍ପୁଆ ଏସ୍ଡିପିଓ ରଶ୍ମିରଞ୍ଜନ ସାହୁଙ୍କ ସମେତ ପୋଲିସ ଅଧିକାରୀମାନେ ପହଞ୍ଚି ତଦନ୍ତ କରିଛନ୍ତି। ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତିରଞ୍ଜନ ସାହୁଙ୍କ ନେତୃତ୍ୱରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ କରିଛି। କିଏ ଏହି ହତ୍ୟାକାଣ୍ଡ ପଛରେ? କେତେ ଟଙ୍କା ଲୁଟ୍ ହୋଇଛି? ଏହି ଘଟଣାରେ କେତେଜଣ ଦୁର୍ବୃତ୍ତ ସାମିଲ ଥିଲେ? ଏସବୁ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରହିଛି। ବ୍ୟବସାୟୀଙ୍କୁ ଗୁଳିମାରି ହତ୍ୟା ଘଟଣା ପରେ ପାଟଣା ଅଞ୍ଚଳରେ ଶୋକ ସହ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଧରିବା ସହ ଲୁଟ୍ ହୋଇଥିବା ଟଙ୍କା ଉଦ୍ଧାର କରିବା,ପୋଲିସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ।
