ବାରିପଦା ; ମୟୂରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ରେଞ୍ଜ ଅଧୀନ ଖପରଖାଇ ଗ୍ରାମରୁ ଉଦ୍ଧାର ହୋଇଥିବା ବାଘ ଛୁଆକୁ ବନ ବିଭାଗ ପରିସରକୁ ଆଣି ଏକ ସ୍ୱତନ୍ତ୍ର ସ୍ଥାନରେ ରଖାଯାଇଛି। ଛୁଆଟିର ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ବନ୍ୟପ୍ରାଣୀ ଚିକିତ୍ସକଙ୍କ ନଜରରେ ଏହାକୁ ରଖାଯାଇଛି। ଗତ ୨୫ ତାରିଖରେ ବାଘ ଛୁଆଟି ପ୍ରାୟ ୨.୫ କିଲୋଗ୍ରାମ ମାଂସ ଖାଇଥିଲା। ଏହି ମାଂସ ସହିତ ମୁଖ୍ୟ ଔଷଧ ମିଶାଇ ଦିଆଯାଇଥିଲା। ମାଂସ ଖାଇବା ପରେ ଛୁଆଟି ଶାନ୍ତ ରହିଥିବା ବେଳେ ଧୀରେ ଧୀରେ ତାହାର ଶକ୍ତି ଫେରୁଥିବାର ଜଣାପଡ଼ିଛି। ବାଘ ଛୁଆଟିର ସ୍ୱାସ୍ଥ୍ୟାବସ୍ଥା ଅଧିକ ନିରୀକ୍ଷଣ କରାଯାଉଛି। ଆଜି ମଧ୍ୟ ଏହାକୁ ଆବଶ୍ୟକ ପରିମାଣର ଖାଦ୍ୟ ଦେଇ ଶାରୀରିକ ଶକ୍ତି ଓ ସ୍ୱାସ୍ଥ୍ୟ ର ଉନ୍ନତି କରାଯାଇଛି । ଏଥିସହ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ଶିମିଳିପାଳ ଟାଇଗର ରିଜର୍ଭର ଫିଲ୍ଡ ଡାଇରେକ୍ଟର ପ୍ରକାଶ ଚାନ୍ଦ ଯୋଗିନେନିଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
