କଟକ: ମହାନଦୀରେ ଆସୁଛି ଛୋଟ ଧରଣର ବନ୍ୟା। ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢ଼ିଥିବାବେଳେ ହୀରାକୁଦ ଜଳଭଣ୍ଡାରରୁ ବର୍ତ୍ତମାନ ୨୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଆବଶ୍ୟକ ପଡ଼ିଲେ ଆସନ୍ତାକାଲି ଆହୁରି କିଛି ଗେଟ୍ ଖୋଲାଯାଇପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ ମହାନଦୀରେ ଏହା ଚତୁର୍ଥ ଛୋଟ ଧରଣର ବନ୍ୟା। ମୁଣ୍ଡଳିରେ ଆଜି ରାତି ସୁଦ୍ଧା ପ୍ରାୟ ୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ଆକଳନ କରାଯାଇଛି। ଆସନ୍ତାକାଲି ସକାଳ ୯ଟା ସୁଦ୍ଧା ଏହା ପ୍ରାୟ ୮ ଲକ୍ଷ କ୍ୟୁସେକ୍?ରେ ପହଞ୍ଚିପାରେ। ଫଳରେ ମହାନଦୀ ସହ ଏହାର ଶାଖାନଦୀ କାଠଯୋଡ଼ି, କୁଆଖାଇ, ଦେବୀ, କୁଶଭଦ୍ରା ଓ ଦୟାରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେବାର ଆଶଙ୍କା ରହିଛି। ବନ୍ୟା ପ୍ରଭାବରେ ବାଙ୍କୀ, ବଡ଼ମ୍ବା, ଆଠଗଡ଼, କଣାସ, ନିମାପଡ଼ା, ଗୋପ, ଏରସମା, ବାଲିକୁଦା ଓ ପାଟକୁରା ଭଳି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିପାରେ। ଏହି ସ୍ଥିତି ପ୍ରାୟ ୨୪ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିପାରେ। ବିଶେଷକରି କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲା ବନ୍ୟାଜଳ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି। ବୈତରଣୀ ଓ ବୁଢ଼ାବଳଙ୍ଗ ନଦୀରେ ମଧ୍ୟ ଜଳସ୍ତର ହ୍ରାସ ପାଉଛି। ଜଳକା ନଦୀରେ ଜଳସ୍ତର ବର୍ତ୍ତମାନ ସ୍ଥିର ରହିଥିବାବେଳେ ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ସ୍ଥିତିରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା କମ୍? ବୋଲି କୁହାଯାଇଛି। ସାଳନ୍ଦୀ ନଦୀରେ ଏବେ ବି ଜଳବନ୍ଦୀ ସ୍ଥିତି ଲାଗିରହିଛି। ତେବେ ବ୍ରାହ୍ମଣୀ ନଦୀରେ ବର୍ତ୍ତମାନ କୌଣସି ବନ୍ୟା ପରିସ୍ଥିତି ନାହିଁ। ଦକ୍ଷିଣ ଓଡ଼ିଶାରେ ମଧ୍ୟ ବନ୍ୟାର ପ୍ରଭାବ ଧୀରେ ଧୀରେ କମୁଥିବା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ତି।
