ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ରେ ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଏଭଳି ଏକ କାମ କରିଛନ୍ତି, ଯାହା ପୂରା କ୍ରିକେଟ୍ ଜଗତକୁ ଆଶ୍ଚର୍ଯ୍ୟ କରିଦେଇଛି। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମୁକାବିଲାରେ ବୈଭବ ନିଜର ବିସ୍ଫୋରକ ବ୍ୟାଟିଂ ବଳରେ ଟିମ୍ର ପ୍ରାରମ୍ଭିକ ସ୍କୋରକୁ ଶକ୍ତି ଦେଇଥିଲେ। ବୈଭବ ୧୬ଟି ବଲ୍ ସାମ୍ନା କରି ୪୩ ରନ୍ ସଂଗ୍ରହ କରିଥିଲେ। ତାଙ୍କର ବ୍ୟାଟରୁ ୩ଟି ଚୌକା ଏବଂ ୫ଟି ଛକା ଆସିଥିଲା, ଯାହା ଷ୍ଟ୍ରାଇକ୍ ରେଟ୍ ୨୬୮.୭୫ ଥିଲା। ମ୍ୟାଚ୍ରେ ସେ ୫ଟି ଛକା ମାରି କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିଥିଲେ। କିନ୍ତୁ ସେ ପ୍ରକୃତ କାମ ‘ଆଇପିଏଲ୍’ର ଚଳିତ ସଂସ୍କରଣରେ ଦେଖାଇଛନ୍ତି। ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ୍ ଇତିହାସରେ କୌଣସି ସଂସ୍କରଣରେ ଦ୍ରୁତଗତିରେ ୪୦୦ ରନ୍ ସଂଗ୍ରହ କରିବାରେ ରେକର୍ଡ କରିଛନ୍ତି। ସେ ଏହି କାମକୁ ୧୬୭ ବଲ୍ରେ କରିପାରିଛନ୍ତି। ଏହି ମାମଲାରେ ସେ ୱେଷ୍ଟଇଣ୍ଡିଜ୍ର ଅଲରାଉଣ୍ଡର ଆନ୍ଦ୍ରେ ରସଲଙ୍କ ରେକର୍ଡ ଭାଙ୍ଗିଛନ୍ତି, ଯିଏ କି ଆଇପିଏଲ୍ ୨୦୧୯ରେ ୧୮୮ ବଲ୍ରେ ୪୦୦ ରନ୍ ପୂରା କରିଥିଲେ। ବୈଭବଙ୍କର ଏହି ପ୍ରଦର୍ଶନ ସୂଚାଉଛି, ସେ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବେ। କେବଳ ଆଇପିଏଲ୍ ନୁହେଁ, ବରଂ ଟି୨୦ କ୍ରିକେଟ୍ରେ ବୈଭବଙ୍କ ବ୍ୟାଟ୍ ଭିନ୍ନ ରୂପ ନେଇଛି। ସେ ଏପର୍ଯ୍ୟନ୍ତ ୨୭ଟି ଇନିଂସରେ ୫୧୧ଟି ବଲ୍ର ସାମ୍ନା କରିଛନ୍ତି, ଯେଉଁଥିରୁ ସେ ୯୯ଟି ଛକା ମାରିଛନ୍ତି। ଖୁବ ଶୀଘ୍ର ସେ ଛକାରେ ଶତକ ହାସଲ କରିବାକୁ ଯାଉଛନ୍ତି। ସେ ଏହି କାମ କଲା ପରେ ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟର କିରଣ ପୋଲାର୍ଡଙ୍କର ରେକର୍ଡକୁ ଭାଙ୍ଗିବେ, ଯିଏ କି ୮୪୩ଟି ବଲ୍ ଖେଳି ଟି୨୦ରେ ୧୦୦ ଛକା ପୂରଣ କରିଥିଲେ। ସୂଚନାଯୋଗ୍ୟ, ବୈଭବ ସୂର୍ଯ୍ୟବଂଶୀ ପୂର୍ବରୁ ମଧ୍ୟ ଇତିହାସ ରଚିସାରିଛନ୍ତି। ସେ ଯେତେବେଳେ ୧୫ ବର୍ଷ ଏବଂ ୨୯ ଦିନରେ ପଦାର୍ପଣ କରିଥିଲେ ଟି୨୦ କ୍ରିକେଟରେ ୧୦୦୦ ରନ୍ ସଂଗ୍ରହ କରିବାରେ ସବୁଠାରୁ ଯୁବ ଖେଳାଳି ହୋଇ ସାରିଛନ୍ତି। ଆଇପିଏଲ୍ ୨୦୨୬ରେ ସେ ୯ଟି ମ୍ୟାଚ୍ରେ ୪୦୦ ରନ୍ ସଂଗ୍ରହ କରି ଅରେଞ୍ଜ କ୍ୟାପ୍ ହାସଲ କରିଛନ୍ତି।
