ନୂଆଦିଲ୍ଲୀ: ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ନିର୍ଦ୍ଦିଷ୍ଟ ୟୁପିଆଇ “ବ୍ୟକ୍ତି-ରୁ-ବ୍ୟବସାୟୀ’ କାରବାର ଉପରେ “ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍’ (ଏମଡିଆର) ଲାଗୁ କରିବାକୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିବେ। ପ୍ରାୟ ଛଅ ବର୍ଷ ଧରି ଚାଲିଆସୁଥିବା ସମ୍ପୂର୍ଣ୍ଣ ମାଗଣା ୟୁପିଆଇ ସେବାକୁ ପରିବର୍ତ୍ତନ କରି, ସରକାର ଅକ୍ଟୋବର ୧୫ରୁ ୟୁପିଆଇ ପ୍ଲାଟଫର୍ମ ମାଧ୍ୟମରେ ବ୍ୟବସାୟୀଙ୍କୁ କରାଯାଉଥିବା ୨ ହଜାର ଟଙ୍କାରୁ ଅଧିକ ମୂଲ୍ୟର କାରବାର ଉପରେ ୦.୪ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି; ତେବେ ଦୈନନ୍ଦିନ “ବ୍ୟକ୍ତି-ରୁ-ବ୍ୟକ୍ତି’ କାରବାର ଏବଂ ଛୋଟ ପରିମାଣର ଦେୟକୁ ଏହି ଶୁଳ୍କରୁ ସମ୍ପୂର୍ଣ୍ଣ ମୁକ୍ତ ରଖାଯାଇଛି। ୭୫,୦୦୦ ଟଙ୍କା ଓ ତଦୂର୍ଦ୍ଧ୍ୱ ପରିମାଣର ଦେୟ ପାଇଁ ଏମଡିଆର ସର୍ବାଧିକ ୩୦୦ ଟଙ୍କା ସୀମିତ ରହିବ। ଅତ୍ୟାବଶ୍ୟକ ଏବଂ କମ୍ ଲାଭାଂଶ ବିଶିଷ୍ଟ କ୍ଷେତ୍ର – ଯେପରିକି ରେଳବାଇ, ଟେଲିକମ୍, ବୀମା, ଇନ୍ଧନ ଏବଂ କୃଷି ସାମଗ୍ରୀ – ପାଇଁ ୨,୦୦୦ ଟଙ୍କାରୁ ଅଧିକ କାରବାର ଉପରେ ପ୍ରତି କାରବାର ପିଛା ୫ ଟଙ୍କାର ସ୍ଥିର ଏମଡିଆର ଲାଗୁ ହେବ। ମ୍ୟୁଚୁଆଲ୍ ଫଣ୍ଡ, ସିକ୍ୟୁରିଟିଜ୍ ଏବଂ ଷ୍ଟକ୍ ବ୍ରୋକର୍ ତଥା ଡିଲରଙ୍କ ମାଧ୍ୟମରେ କରାଯାଉଥିବା ଦେୟ ଉପରେ ୦.୦୨ ପ୍ରତିଶତ ଗଊଜ ଲାଗୁ ହେବ, ଯାହା ସର୍ବାଧିକ ୩୦୦ ଟଙ୍କା ମଧ୍ୟରେ ସୀମିତ ରହିବ। “ବ୍ୟକ୍ତି-ରୁ-ବ୍ୟକ୍ତି’ ସ୍ଥାନାନ୍ତର – ଯାହା ୟୁପିଆଇ କାରବାର ସଂଖ୍ୟାର ୩୭ ପ୍ରତିଶତ ଏବଂ କାରବାର ମୂଲ୍ୟର ୭୦ ପ୍ରତିଶତ ଅଟେ – ତାହା ଉପରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ (ଶୂନ୍ୟ ଶୁଳ୍କ), ଏବଂ ଏଥିପାଇଁ କୌଣସି ରାଶି ସୀମା ବାଧ୍ୟତାମୂଳକ ନୁହେଁ। ସେପ୍ଟେମ୍ବର ୨୮ ତାରିଖର ସର୍ବୋଚ୍ଚ ଅଦାଲତର କାର୍ଯ୍ୟସୂଚୀ ଅନୁଯାୟୀ, ଏହି ଆବେଦନ ଉପରେ ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚି ଓ ଭି. ମୋହନାଙ୍କ ଖଣ୍ଡପୀଠରେ ଶୁଣାଣି ଆଇନଜୀବୀ ଅଞ୍ଜନ ଦତ୍ତଙ୍କ ଦ୍ୱାରା ଦାଖଲ କରାଯାଇଥିବା ଜନସ୍ୱାର୍ଥ ମାମଲା (ପିଆଇଏଲ)ରେ କେନ୍ଦ୍ର ସରକାରଙ୍କ ସେପ୍ଟେମ୍ବର ୧୪ ତାରିଖର ବିଜ୍ଞପ୍ତି ଏବଂ ସେପ୍ଟେମ୍ବର ୧୫ରେ ଘୋଷିତ ଏମଡିଆର (ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍) ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଇଛି; ଏହି ବ୍ୟବସ୍ଥା ଅକ୍ଟୋବର ୧୫ ରୁ ଲାଗୁ ହେବାର ଥିଲା। ଆବେଦନରେ ଅଭିଯୋଗ କରାଯାଇଛି ଯେ ଯଥେଷ୍ଟ ଆଇନଗତ ସୁରକ୍ଷା, ସ୍ୱଚ୍ଛତା କିମ୍ବା ଜନସାଧାରଣଙ୍କ ସହ ପରାମର୍ଶ ବିନା ଏହି ଶୁଳ୍କ ଲାଗୁ କରାଯାଇଛି। ଏଥିରେ “ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ସିଷ୍ଟମ୍ସ ଆକ୍ଟ, ୨୦୦୭’ର ସଂଶୋଧିତ ଧାରା ୧୦-ଏର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଛି। ଅଭିଯୋଗ ଅନୁଯାୟୀ, ଏହି ଧାରା କାର୍ଯ୍ୟପାଳିକାକୁ ଅନିୟନ୍ତ୍ରିତ କ୍ଷମତା ପ୍ରଦାନ କରୁଛି ଯାହା ଦ୍ୱାରା ସେମାନେ ସ୍ଥିର କରିପାରିବେ ଯେ କେଉଁ ଇଲେକ୍ଟ୍ରୋନିକ୍ ପେମେଣ୍ଟ ମାଧ୍ୟମ “ନୋ-ଚାର୍ଜ’ (ଶୁଳ୍କ-ମୁକ୍ତ) ସୁରକ୍ଷା ପାଇବ। ଆବେଦନରେ କୁହାଯାଇଛି, “ଏହା ଘୋଷଣା କରାଯାଉ ଯେ କୌଣସି ବିଧିବଦ୍ଧ ଅନୁମୋଦିତ, ପ୍ରମାଣିତ ଏବଂ ପ୍ରକାଶିତ ଆଇନଗତ ଦସ୍ତାବିଜ୍ ବିନା କେବଳ ଏକ ପ୍ରେସ୍ ବିଜ୍ଞପ୍ତି କିମ୍ବା ୠଇଛ (ସାଧାରଣ ପ୍ରଶ୍ନୋତ୍ତର) ଆଧାରରେ କୌଣସି ଏମଡିଆର କିମ୍ବା ସମାନ ବାଧ୍ୟତାମୂଳକ ଶୁଳ୍କ ଲାଗୁ କିମ୍ବା ଆଦାୟ କରାଯାଇପାରିବ ନାହିଁ।
