ନୂଆଦିଲ୍ଲୀ: ମୋଟ ୧୨୪ ଜଣ ପୂର୍ବତନ ଆଇଏଏସ, ଆଇଏଫଏସ ଏବଂ ଆନୁଷଙ୍ଗିକ ସେବାର ଅଧିକାରୀ ଭାରତର ନାଗରିକମାନଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ଜାରି କରିଛନ୍ତି। ଏଥିରେ ସେମାନେ ନିର୍ବାଚନ ଆୟୋଗ (ଇସି) ଏବଂ ଭୋଟର ତାଲିକାର “ସ୍ୱତନ୍ତ୍ର ତୀବ୍ର ସଂଶୋଧନ’ (ଏସଆଇଆର) ପ୍ରକ୍ରିୟାକୁ ଦୃଢ଼ ସମର୍ଥନ ଜଣାଇବା ସହ ବିନା ବିଶ୍ୱସନୀୟ ପ୍ରମାଣରେ ଅଣାଯାଇଥିବା ଭୋଟ୍ରେ ଅନିୟମିତତା ବା “ରିଗିଂ’ ଅଭିଯୋଗ ଉପରେ ପ୍ରଶ୍ନ ଉଠାଇଛନ୍ତି। ବୁଥ୍ ଦଖଲ, ବାଲଟ୍ ବକ୍ସରେ ଜାଲ୍ ଭୋଟ୍ ଭରିବା ଏବଂ ନିର୍ବାଚନୀ ହିଂସା ଯୁଗରୁ ଭାରତର ପରିବର୍ତ୍ତନ ଉପରେ ଆଲୋକପାତ କରି ଅଧିକାରୀମାନେ କହିଛନ୍ତି ଯେ, ବର୍ତ୍ତମାନର ନିର୍ବାଚନ ବ୍ୟବସ୍ଥାରେ ପୋଲିଂ ଏଜେଣ୍ଟ, ଇଭିଏମ୍ ସିଲ୍ କରିବା, ଷ୍ଟ୍ରଙ୍ଗ-ରୁମ୍ ସୁରକ୍ଷା ଏବଂ ଭିଭିପିଏଟି ଯାଞ୍ଚ ଭଳି ଅନେକ ସ୍ତରୀୟ ଯାଞ୍ଚ ଓ ସୁରକ୍ଷା ବ୍ୟବସ୍ଥା ରହିଛି। ସେମାନେ ଗତ ବର୍ଷର ବିହାର ବିଧାନସଭା ନିର୍ବାଚନର ଉଦାହରଣ ଦେଇଥିଲେ, ଯେଉଁଥିରେ କୌଣସି ପୁନଃ-ମତଦାନ ହୋଇନଥିଲା ଏବଂ ୧୯୫୧ ମସିହା ପରଠାରୁ ସର୍ବାଧିକ ମତଦାନ ହୋଇଥିଲା। ଚିଠିରେ କୁହାଯାଇଛି ଯେ, ଜିତିବା ସମୟରେ ବ୍ୟବସ୍ଥା ସ୍ୱଚ୍ଛ ଏବଂ ହାରିବା ସମୟରେ ତାହା ତ୍ରୁଟିପୂର୍ଣ୍ଣ ବା ଜାଲିଆତିପୂର୍ଣ୍ଣ ହୋଇପାରିବ ନାହିଁ। ଏଥିରେ ଦର୍ଶାଯାଇଛି ଯେ ସମାନ ନିର୍ବାଚନ ଆୟୋଗଙ୍କ ଅଧୀନରେ କେନ୍ଦ୍ରରେ ଶାସନ କରୁଥିବା ବିଜେପି ଅନେକ ରାଜ୍ୟ ନିର୍ବାଚନରେ ପରାଜିତ ହୋଇଥିଲା ଏବଂ ୨୦୨୪ରେ ସଂସଦରେ ନିଜର ସଂଖ୍ୟାଗରିଷ୍ଠତା ମଧ୍ୟ ହରାଇଥିଲା। ଏହି ଚିଠିରେ ସ୍ୱାକ୍ଷର କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପୂର୍ବତନ ବୈଦେଶିକ ସଚିବ କନୱାଲ ସିବଲ୍ ଏବଂ ପୂର୍ବତନ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଆର.ଡି. କପୁର, ସମୀରେନ୍ଦ୍ର ଚାଟାର୍ଜୀ, ଗୋପାଳ କୃଷ୍ଣ, ବିବେକ ଭରଦ୍ୱାଜ ଓ ନବନୀତ ସେହଗଲ ପ୍ରମୁଖ ସାମିଲ ଅଛନ୍ତି।
