କଟକ: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଧୀନ ରାଣୀବଣିଆସ୍ଥିତ ଆଠଗଡ଼ ମଡେଲ୍ କନଭିକ୍ଟ ଜେଲରୁ ଫେରାର ହୋଇଥିବା ଡବଲ୍ ମର୍ଡର ମାମଲାର ଦୋଷୀ ସୁନୀଲ ଜେନାଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ। ଫେରାର ଘଟଣାକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇନାହିଁ। ସୁନୀଲଙ୍କୁ ଠାବ କରିବା ପାଇଁ ପୋଲିସ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରି ତଲାସି ଅଭିଯାନ ଚଳାଇଛି। ଫେରାର୍ କଏଦୀ ସୁନୀଲ ଜେନାଙ୍କ ବୟସ ୩୦ ବର୍ଷ। ସେ ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳର ବାସିନ୍ଦା। ପ୍ରାୟ ଛଅ ବର୍ଷ ପୂର୍ବେ ଏକ ଡବଲ୍ ମର୍ଡର ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା।ପ୍ରଥମେ ସେ ଯାଜପୁର ଜେଲରେ ରହୁଥିଲେ। ଚଳିତ ବର୍ଷ ଏପ୍ରିଲ୍?ରେ ତାଙ୍କୁ ଯାଜପୁର ଜେଲରୁ ଆଠଗଡ଼ ମଡେଲ୍ କନଭିକ୍ଟ ଜେଲକୁ ସ୍ଥାନାନ୍ତର କରାଯାଇଥିଲା।ପାଇପ୍ ଚଢ଼ି ପାଚେରି ଡେଇଁ ଫେରାର ଜେଲର ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ସୁନୀଲ କିପରି ଜେଲରୁ ଖସିଥିଲେ, ତାହାର ଚିତ୍ର ସାମ୍ନାକୁ ଆସିଛି। ଜେଲ୍?ର ମୁଖ୍ୟ ଫାଟକ ନିକଟରେ ଥିବା ଭିଜିଟର୍ସ ରୁମ୍ ପାଖରେ ଥିବା ଏକ ପାଇପ୍?ରେ ଚଢ଼ି ସେ ପରିସୀମା ପାଚେରି ଉପରକୁ ଯାଇଥିବା ଜଣାପଡ଼ିଛି। ପରେ ପାଚେରି ଉପରେ ଥିବା କଣ୍ଟାତାର ଅତିକ୍ରମ କରି ନିକଟସ୍ଥ ଜଙ୍ଗଲ ଦେଇ ସେ ଜେଲ୍ ପରିସରରୁ ବାହାରିଯାଇଥିଲେ। ଘଟଣାଟି ଗୁରୁବାର ଘଟିଥିଲା। ଜେଲ୍ କର୍ମଚାରୀ ମାନେ ନିୟମିତ ରୋଲ୍ କଲ୍ ସମୟରେ ସୁନୀଲ ନଥିବା ଜାଣିବା ପରେ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ସିସିଟିଭି ଯାଞ୍ଚ କରିବାରୁ ସେ ଜେଲ୍?ରୁ ଫେରାର ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ଜେଲର୍ ସୁଧାଂଶୁ ବେହେରା ଖୁଣ୍ଟୁଣୀ ଥାନାରେ ଏତଲା ଦେଇଥିଲେ। ପୋଲିସ ଏହାକୁ ଆଧାର କରି ମାମଲା ରୁଜୁ କରି ତଲାସି ଆରମ୍ଭ କରିଥିଲା। ଜେଲରୁ ବାହାରି ପୁରୀ ଯାଇଥିବା ସୂଚନା ତଦନ୍ତ ବେଳେ ସୁନୀଲ ଜେଲରୁ ବାହାରିବା ପରେ ଟ୍ରେନ୍ ଯୋଗେ ପୁରୀ ଯାଇଥିବା ସୂଚନା ପୋଲିସକୁ ମିଳିଥିବା ରିପୋର୍ଟ ଆସିଛି। ଏହି ସୂଚନା ଆଧାରରେ ପୋଲିସ ତଲାସିର ପରିସର ବଢ଼ାଇଛି। ଗୋଟିଏ ଟିମ୍ ଯାଜପୁର ଅଞ୍ଚଳରେ ତଦନ୍ତ କରୁଥିବା ବେଳେ ଅନ୍ୟ ଟିମ୍ ପୁରୀରେ ତାଙ୍କୁ ଖୋଜୁଥିବା ଜଣାପଡ଼ିଛି। ପୋଲିସ ସୁନୀଲଙ୍କ ସମ୍ଭାବ୍ୟ ଗତିବିଧି, ପରିଚିତ ଓ ସମ୍ପର୍କୀୟଙ୍କ ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରୁଛି। ତାଙ୍କୁ ଶୀଘ୍ର ଠାବ କରିବା ପାଇଁ ସମ୍ଭାବ୍ୟ ରାସ୍ତା ଓ ସ୍ଥାନଗୁଡ଼ିକ ଉପରେ ନଜର ରଖାଯାଉଛି। ଜେଲ୍ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ? ଘଟଣା ପରେ ଆଠଗଡ଼ ମଡେଲ୍ କନଭିକ୍ଟ ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଜେଲ୍ ପ୍ରଶାସନ ପକ୍ଷରୁ ଜେଲର ଗଠନାତ୍ମକ ବ୍ୟବସ୍ଥା ଓ ସୁରକ୍ଷାର କିଛି ଦୁର୍ବଳତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ବିଶେଷକରି ପ୍ରଶାସନିକ କୋଠା ପରିସୀମା ପାଚେରି ନିକଟରେ ରହିବା ଫେରାର ଘଟଣାରେ ସହାୟକ ହୋଇଥିବା ସମ୍ଭାବନା ଉପରେ ତଦନ୍ତ ଚାଲିଛି। ଜେଲରେ କର୍ମଚାରୀ ଅଭାବ ମଧ୍ୟ ରହିଥିବା ରିପୋର୍ଟ ହୋଇଛି। ପ୍ରାୟ ୨୧୦ ଜଣ କଏଦୀଙ୍କ ପାଇଁ ୧୫ଟି ୱାର୍ଡ ଥିବା ବେଳେ ଆବଶ୍ୟକ ସଂଖ୍ୟା ତୁଳନାରେ ୱାର୍ଡର୍ କମ୍ ଥିବା ସୂଚନା ମିଳିଛି। ଏହି କର୍ମଚାରୀ ଅଭାବ ଜେଲ୍?ର ଦୈନନ୍ଦିନ ସୁରକ୍ଷା ଓ ନିରୀକ୍ଷଣ ବ୍ୟବସ୍ଥା ଉପରେ କି ପ୍ରଭାବ ପକାଇଛି, ତାହା ମଧ୍ୟ ଖତିଆନ କରାଯାଉଛି। ତିନି ଦିନ ପରେ ବି ମିଳିନି ସୁରାକ୍ ଫେରାର ଘଟଣାକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ସୁନୀଲ ଜେନାଙ୍କୁ ପୋଲିସ ଧରିପାରିନାହିଁ। ଏହାକୁ ନେଇ ତଲାସି ଅଭିଯାନ ଜୋରଦାର କରାଯାଇଛି। ଯାଜପୁର ଓ ପୁରୀ ସମେତ ତାଙ୍କ ସମ୍ଭାବ୍ୟ ଗତିବିଧି ଥିବା ସ୍ଥାନରେ ପୋଲିସ ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ, ଜେଲ୍?ରୁ ଜଣେ ଡବଲ୍ ମର୍ଡର ମାମଲାର ଦୋଷୀ ଆଜୀବନ କଏଦୀ ଏଭଳି ଭାବେ ଫେରାର ହୋଇଯିବା ଘଟଣା ଜେଲ୍?ର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ତେବେ ସୁନୀଲଙ୍କୁ ଧରିବା ଏବଂ ଫେରାର ଘଟଣାର ସମସ୍ତ ପାର୍ଶ୍ୱର ତଦନ୍ତ ଜାରି ରହିଛି।
