ପୁରୀ: ପବିତ୍ର ମହାଳୟା ଶ୍ରାଦ୍ଧ ଅବସରରେ ପିତୃପୁରୁଷଙ୍କ ସ୍ମରଣ ଓ ଶ୍ରଦ୍ଧା ନିବେଦନର ପବିତ୍ର ଦିନରେ ମଧ୍ୟ ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ଥାୟୀ ବ୍ୟବସ୍ଥା ଦାବିରେ ସତ୍ୟାଗ୍ରହୀଙ୍କ ପଦଯାତ୍ରା ୧୯୩ ଦିନରେ ଜାରି ରହିଛି। ୧ ଅପ୍ରେଲ ଉତ୍କଳ ଦିବସରୁ ଆରମ୍ଭ ହୋଇଥିବା ଏହି ଅହିଂସାମୂଳକ ଆନ୍ଦୋଳନରେ ପ୍ରତିଦିନ ପଦଯାତ୍ରୀ ସତ୍ୟାଗ୍ରହୀମାନେ ଭକ୍ତ ସାଲବେଗ ପୀଠରୁ ପଦଯାତ୍ରା କରି ସିଂହଦ୍ୱାରରେ ପହଞ୍ଚି ପତିତପାବନଙ୍କ ଦର୍ଶନ ସହ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ଦୀର୍ଘ ଛଅ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଜାରି ରହିଥିବା ଏହି ସଂଘର୍ଷ ପୁରୀବାସୀଙ୍କ ଭକ୍ତି, ଆତ୍ମସମ୍ମାନ ଓ ଦାବି ପ୍ରତି ଅତୁଟ ନିଷ୍ଠାର ପ୍ରତୀକ ପାଲଟିଛି।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀବାସୀଙ୍କ ପାଇଁ ସୁଲଭ, ସୁବ୍ୟବସ୍ଥିତ ଓ ମର୍ଯ୍ୟାଦାଜନକ ଦର୍ଶନ ବ୍ୟବସ୍ଥା ସୁନିଶ୍ଚିତ କରିବା ହିଁ ଏହି ଆନ୍ଦୋଳନର ମୂଳ ଲକ୍ଷ୍ୟ। ଶାନ୍ତି ଓ ଅହିଂସାର ପଥରେ ଆଲୋଚନା ମାଧ୍ୟମରେ ଦାବିର ସ୍ଥାୟୀ ସମାଧାନ ହେବ ବୋଲି ସତ୍ୟାଗ୍ରହୀ ମାନେ ଆଶାବାଦୀ।

ଦାବି ପୂରଣ ନହେବା ପର୍ଯ୍ୟନ୍ତ ପଦଯାତ୍ରା ଅବିରତ ଜାରି ରହିବ।ଶନିବାର ପଦଯାତ୍ରାରେ ସର୍ବଶ୍ରୀ ଚକ୍ରଧର ମହାପାତ୍ର, ପ୍ରକାଶ ଚନ୍ଦ୍ର ନାୟକ, କାହ୍ନୁଚରଣ ପ୍ରଧାନ, କିଶୋର ଚନ୍ଦ୍ର ଦାସ, ଜଗଦାନନ୍ଦ ରାୟ, ସନ୍ଧ୍ୟାରାଣୀ ମିଶ୍ର, ଅରୁଣା ପଟ୍ଟନାୟକ, ଭାରତୀ ମହାନ୍ତି, ମମତା ଦାସ, ନିହାରିକା ତ୍ରିପାଠୀ, ମମତା ସ୍ୱାଇଁ, ଶିଶିରକାନ୍ତ ଶତପଥୀ, ଅଭିମନ୍ୟୁ ରାୟଗୁରୁ, ବରୁଣ ମହାପାତ୍ର, ସନ୍ତୋଷ ସେନାପତି, ଅମ୍ରିତ ସାମନ୍ତରାୟ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ସାମିଲ ହୋଇଥିଲେ।ପବିତ୍ର ମହାଳୟା ଶ୍ରାଦ୍ଧରେ ପିତୃପୁରୁଷଙ୍କ ପ୍ରତି ଶ୍ରଦ୍ଧା ନିବେଦନ ସହ ସତ୍ୟାଗ୍ରହୀମାନେ ମହାପ୍ରଭୁଙ୍କ କୃପା କାମନା କରି ପୁରୀବାସୀଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ନିମନ୍ତେ ପ୍ରଶାସନକୁ ପୁନର୍ବାର ଆହ୍ୱାନ ଜଣାଇଛନ୍ତି। ସତ୍ୟ ଓ ଅହିଂସାର ପଥରେ ସଂଘର୍ଷ ଜାରି ରହିବ।
