ଭଞ୍ଜନଗର: ବେଲଗୁଣ୍ଠା ଥାନା ପୁଲିସ ଗୁଡ଼ିପଲ୍ଲୀ ଗ୍ରାମ ନିକଟରେ ଚଢ଼ାଉ କରି ଦୁଇଟି ଦେଶୀ ବନ୍ଧୁକ ସମେତ ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ତନରଡ଼ା ଗ୍ରାମ ରୋଡ଼ ସାହିର ରାଜେଶ କୁମାର ବେହେରା ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଘଟଣା ପ୍ରକାରେ, ଶୁକ୍ରବାର ଦିନ ବେଲଗୁଣ୍ଠା ଥାନାର ଏସ୍?ଆଇ ସୁକାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ତନରଡ଼ା, ନୂଆଗାଁ ଓ ଧୁମଛାଇ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ରାଜେଶ କୁମାର ବେହେରା ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିଥିବା ନେଇ ପୋଲିସ ପୁଲିସକୁ ସୂଚନା ପାଇ ଗୁଡ଼ିପଲ୍ଲୀ ଗ୍ରାମ ନିକଟସ୍ଥ ଏକ ଘରେ ଚଢ଼ାଉ କରିଥିଲା । ଘର ଭିତରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ବନ୍ଧୁକ ୧୧ଟି ଛରା ଜବତ ହୋଇଥିଲା । ତେବେ ଅସ୍ତ୍ରଶସ୍ତ୍ର ରଖିଥିବା ସଂକ୍ରାନ୍ତରେ ସେ କୌଣସି ବୈଧ ଲାଇସେନ୍ସ ଦେଖାଇପାରି ନଥିବା କାରଣରୁ ତାକୁ ଗିରଫ କରାଯାଇଥିଲା । ଜେରା ସମୟରେ ଅଭିଯୁକ୍ତ ବନ୍ୟଜନ୍ତୁ ଶିକାର କରିବା ସହ ମାଂସ, ଶିଙ୍ଗ ଓ ଚମଡ଼ାର ବେଆଇନ ବ୍ୟବସାୟରେ ସମ୍ପୃକ୍ତ ଥିବା ପୁଲିସ ନିକଟରେ ସ୍ୱୀକାର କରିଥିଲା । ଏହି ଘଟଣାରେ ବେଲଗୁଣ୍ଠା ଥାନାରେ କେସ୍ ନଂ ୫୫୯/୨୬, ରେ ଏକ ମାମଲା ରୁଜୁ କରି, ଗିରଫ ଅଭିଯୁକ୍ତଙ୍କୁ ଭଞ୍ଜନଗର କୋର୍ଟ କୁ ଚାଲାଣ କରିଥିଲା ।
