କାଠମାଣ୍ଡୁ: ନେପାଳର ମାନାଙ୍ଗ ଜିଲ୍ଲା ଅନ୍ତର୍ଗତ ନାର୍ ଫୁ ଅଞ୍ଚଳରେ ଥିବା ୭,୧୨୬ ମିଟର ଉଚ୍ଚତା ବିଶିଷ୍ଟ “ହିମଲୁଙ୍ଗ ହିମାଲ’ ପର୍ବତ ଶୃଙ୍ଗରେ ଏକ ହିମସ୍ଖଳନ ଘଟିଛି, ଯାହା ଫଳରେ ୧୦ ଜଣ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। “କାଠମାଣ୍ଡୁ ପୋଷ୍ଟ’ର ରିପୋର୍ଟ ଅନୁଯାୟୀ, ନିଖୋଜ ବ୍ୟକ୍ତିମାନଙ୍କ ମଧ୍ୟରେ ପର୍ବତାରୋହୀ ଏବଂ ସହାୟକ କର୍ମଚାରୀ ଉଭୟ ସାମିଲ ଅଛନ୍ତି। “ଏକ୍ସପେଡିସନ୍ ଅପରେଟର୍ସ ଆସୋସିଏସନ୍ ନେପାଳ’ର ସାଧାରଣ ସମ୍ପାଦକ ଋଷି ଭଣ୍ଡାରୀ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ଭଣ୍ଡାରୀଙ୍କ କହିବାନୁସାରେ, ନିଖୋଜ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ଦୁଇଜଣ “ଇମାଜିନ୍ ନେପାଳ ପ୍ରାଇଭେଟ୍ ଲିମିଟେଡ୍’ ସହ ଜଡ଼ିତ ଥିବାବେଳେ ଅନ୍ୟ ଆଠଜଣ “ହିମାଲୟନ୍ ହଲିଡେଜ୍ ନେପାଳ’ ସହ ଜଡ଼ିତ ଥିଲେ। ନେପାଳର ପର୍ଯ୍ୟଟନ ବିଭାଗର ମହାନିର୍ଦ୍ଦେଶକ ରାମ କୃଷ୍ଣ ଲାମିଚ୍ଛାନେ କହିଛନ୍ତି ଯେ କର୍ତ୍ତୃପକ୍ଷ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ବର୍ତ୍ତମାନ ଅଧିକ ତଥ୍ୟ ସଂଗ୍ରହ କରିବା ଏବଂ ନିଖୋଜ ଦଳ ପାଇଁ ଉଦ୍ଧାର କାର୍ଯ୍ୟର ସମନ୍ୱୟ ରକ୍ଷା କରିବା ଲାଗି ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି।
