ଲଣ୍ଡନ: ଆମେରିକୀୟ ବାୟୁସେନା ଦ୍ୱାରା ବ୍ୟବହୃତ “ଆରଏଏଫ୍ ଫେୟାରଫୋର୍ଡ’ ବାୟୁସେନା ଘାଟି ନିକଟରେ “ସ୍ଫୋରକ ସାମଗ୍ରୀ ଆଇନ୍’ ଅଧୀନରେ ସନ୍ଦିଗ୍ଧ ଅପରାଧ ପାଇଁ କିଛି ବ୍ୟକ୍ତିଙ୍କୁ ଗିରଫ କରାଯିବା ପରେ ବ୍ରିଟିଶ ପୋଲିସ ରବିବାର ଦିନ ଏକ ବଡ଼ ଧରଣର ଘଟଣା ଘୋଷଣା କରିଛି। କର୍ତ୍ତୃପକ୍ଷ ନିକଟସ୍ଥ ୱେଲଫୋର୍ଡ ଅଞ୍ଚଳର କିଛି ଘରୁ ଲୋକଙ୍କୁ ସ୍ଥାନାନ୍ତର କରିଥିବାବେଳେ, ବ୍ରିଟିଶ ସେନା କିଛି ଗାଡ଼ିର ଯାଞ୍ଚ କରିବା ପାଇଁ ବିଶେଷଜ୍ଞ ବୋମା ନିଷ୍କ୍ରିୟକାରୀ ଦଳକୁ ପଠାଇଛି। ପୋଲିସ କହିଛି ଯେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି, କିନ୍ତୁ ସେହି ଅଞ୍ଚଳ ଚାରିପାଖରେ ସୁରକ୍ଷା ବଳୟ ବଜାୟ ରଖାଯାଇଛି। ବ୍ରିଟେନରେ ଆମେରିକୀୟ ସେନାର ଉପସ୍ଥିତି ଏବଂ ଇରାନ ସହିତ ଚାଲିଥିବା ସଂଘର୍ଷକୁ ନେଇ ସୁରକ୍ଷା ଚିନ୍ତା ବୃଦ୍ଧି ପାଇଥିବା ସମୟରେ ଏହି ଘଟଣା ସାମ୍ନାକୁ ଆସିଛି। ହରମୁଜ୍ ପ୍ରଣାଳୀରେ ଜାହାଜଗୁଡ଼ିକୁ ଟାର୍ଗେଟ କରୁଥିବା ଇରାନର କ୍ଷେପଣାସ୍ତ୍ର ଘାଟି ବିରୁଦ୍ଧରେ ସୀମିତ ଅଭିଯାନ ପାଇଁ ୟୁକେ ସରକାର ଆମେରିକାକୁ “ଆରଏଏଫ୍ ଫେୟାରଫୋର୍ଡ’ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। “ଆସୋସିଏଟେଡ୍ ପ୍ରେସ୍’ର ଏକ ରିପୋର୍ଟ ଅନୁଯାୟୀ, ଗ୍ଲୋଷ୍ଟରସାୟାର ପୋଲିସ କହିଛି ଯେ ଏହି ବଡ଼ ଘଟଣା ଘୋଷଣା ହେବା ପରେ ୱେଲଫୋର୍ଡର କିଛି ଘରର ବାସିନ୍ଦାଙ୍କୁ ନିକଟସ୍ଥ ଏକ ମନୋରଞ୍ଜନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ପୋଲିସ କହିଛି ଯେ ବିସ୍ଫୋରକ ସାମଗ୍ରୀ ଆଇନ୍ ଅଧୀନରେ ଅପରାଧ ସନ୍ଦେହରେ ଏହି ଗିରଫଦାରୀ କରାଯାଇଛି। ତେବେ ଏହି ଗିରଫଦାରୀ ସିଧାସଳଖ ଆରଏଏଫ୍ ଫେୟାରଫୋର୍ଡ ସହିତ ଜଡ଼ିତ କି ନୁହେଁ, ସେ ସମ୍ପର୍କରେ ପୋଲିସ କିଛି କହିନାହିଁ।
