ବାରିପଦା /କରଞ୍ଜିଆ; ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ବ୍ଲେଡ୍ରେ ବେକ କାଟି ହତ୍ୟା ଅଭିଯୋଗକୁ ନେଇ କରଞ୍ଜିଆ ଥାନା ଅଞ୍ଚଳର କେନ୍ଦୁମୁଣ୍ଡି ବଙ୍ଗଳାସାହିରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ କରୁଣାକର ଟୁଡୁ ଓରଫ ଭୁଟ୍ଟା ଟୁଡୁ (୩୫)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ଅନୁଯାୟୀ, କରଞ୍ଜିଆ ବ୍ଲକ,ପାଟବିଲ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁମୁଣ୍ଡି ବଙ୍ଗଳାସାହିର ସୀତା ମାଝୀଙ୍କୁ ସେପ୍େଟମ୍ବର ୨୩ ତାରିଖ ଭୋର ପ୍ରାୟ ୫ଟାରୁ ସାଢ଼େ ୫ଟା ମଧ୍ୟରେ ଅଭିଯୁକ୍ତ କରୁଣାକର,ମହୁଲି ପିଇବା ପାଇଁ ଡାକି ନେଇଥିଲେ। ପରେ ସକାଳ ପ୍ରାୟ ୭ଟାରୁ ୮ଟା ମଧ୍ୟରେ ବ୍ଲେଡ୍ରେ ସୀତାଙ୍କ ବେକ କାଟିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଗ୍ରାମରକ୍ଷୀ ବିଜୟାନନ୍ଦ ସି କାହ୍ନୁଚରଣ ମାଝୀଙ୍କୁ ସୂଚନା ଦେଇଥିଲେ। ପରେ କାହ୍ନୁଚରଣ ଓ ଗ୍ରାମବାସୀ, ସୀତାଙ୍କୁ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତକଙ୍କ ଭାଇ କାହ୍ନୁଚରଣ ମାଝୀ କରଞ୍ଜିଆ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ, ଅଭିଯୁକ୍ତଙ୍କ ଭାଇଙ୍କ ମୃତ୍ୟୁ ପରେ କରୁଣାକର ତାଙ୍କ ଘରକୁ ଆସି ସୀତାଙ୍କୁ ଡାହାଣୀ ବୋଲି କହିବା ସହ ତାଙ୍କ ଭାଇଙ୍କ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରୁଥିଲେ। ଏପରିକି ସେ ତାଙ୍କ ପରିବାରର ସମସ୍ତଙ୍କୁ ମାରିଦେବା ସମ୍ପର୍କରେ ମଧ୍ୟ କହୁଥିବା ଏତଲାରେ ଉଲ୍ଲେଖ ରହିଛି। ଏହାକୁ ଆଧାର କରି ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା କାହ୍ନୁଚରଣ ସନ୍ଦେହ ପ୍ରକାଶ କରିଛନ୍ତି। ପାଞ୍ଚପୀଢ଼ ଉପଖଣ୍ଡ ପୁଲିସ ଅଧିକାରୀ ନବକୃଷ୍ଣ ନାୟକଙ୍କ ସୂଚନା ଅନୁଯାୟୀ, ଏତଲା ଆଧାରରେ କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ଟିମ୍ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ କରୁଣାକରଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ନିକଟରୁ ଏକ ମୋଟରସାଇକେଲ, ବ୍ଲେଡ୍ ଓ ଜୋତା ଜବତ କରାଯାଇଛି। ଏନେଇ କରଞ୍ଜିଆ ଥାନାରେ କେଶ ନଂ ୩୪୯/୨୬ ମୂଳେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ତଦନ୍ତକାରୀ ପୁଲିସ ଟିମ୍ରେ ଏସ୍ଆଇ ସୁଧାଂଶୁ ଶେଖର ସେଠୀ, ଏସ୍ଆଇ ରୀତାଞ୍ଜଳୀ ଦାସ ଓ ଏଏସ୍ଆଇ ସାଲଖାନ ହେମ୍ବ୍ରମ୍ ସାମିଲ ଥିଲେ।
