ବାରିପଦା; ଲଘୁଚାପଜନିତ ଲଗାଣ ବର୍ଷାରେ ଏବେ ବି ଜନଜୀବନ ଅସ୍ତବ୍ୟସ୍ତ। ଅବିଶ୍ରାନ୍ତ ଦିନ ରାତି ବର୍ଷା ଯୋଗୁଁ ଦୁର୍ବଳ ଘରଗୁଡ଼ିକ ପ୍ରତି ବିପଦ ବଢ଼ିବାରେ ଲାଗିଛି। ଏ ଭଳି ଅଘଟଣ ଘଟିଛି ଠାକୁରମୁଣ୍ଡା ତହସିଲ ଅଧିନରେ ଥିବା ସାତକୋଶିଆ ଆର ଆଇ ସର୍କଲ ଅନ୍ତର୍ଗତ ମହୁଲଡିହା ଗ୍ରାମ ପଞ୍ଚାୟତର ମହୁଲଡିହା ଗ୍ରାମରେ। ଲଗାଣ ବର୍ଷାରେ ମାଳତୀ ମହାନ୍ତଙ୍କ ଦୁଇ ବଖରା ଖପର ଘରର କାନ୍ଥ ଭୁଷୁଡ଼ି ପଡ଼ିବାରୁ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ତେବେ ଏହି ସମୟରେ ପରିବାର ସଦସ୍ୟ ମାନେ ବାହାରେ ଥିବାରୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ।

ସୂଚନା ଅନୁସାରେ ମାଳତୀଙ୍କ ପରିବାର ଘର ବାହାରେ କୈଣସି କାମରେ ବ୍ୟସ୍ତ ଥିବା ସମୟରେ ହଠାତ ଘରର କାନ୍ଥ ଭୁଷୁଡ଼ି ପଡ଼ିଥିଲା। ଫଳରେ ଦୁଇ ବଖରା ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ମାଳତୀଙ୍କ କହିବା ଅନୁସାରେ ଆବାସ ଯୋଜନାରେ ତାଙ୍କ ପରିବାରରେ ଘର ମିଳିନାହିଁ। ଅନଲାଇନରେ ଆବେଦନ କରିଥିଲେ ଏବଂ ତାଲିକାରେ ନାମ ରହିଛି ହେଲେ ଏପର୍ଯ୍ୟନ୍ତ ତାଙ୍କ ନାମରେ ୱାର୍କ ଅର୍ଡର ମିଳିନାହିଁ। ପ୍ରଶାସନିକ ସ୍ତରରେ ଅତି ଶିଘ୍ର ତାଙ୍କ ନାମରେ ୱାର୍କ ଅର୍ଡର ପ୍ରଦାନ କରିବା ପାଇଁ ଦାବି କରିଥିଲେ।
