ଭଞ୍ଜନଗର: ରାଜପଥରେ ଯାତାୟାତ କରୁଥିବା ପଥଚାରୀ ଓ ପରିବା ବେପାରୀଙ୍କୁ ଲୁଟ୍ କରିବା ପାଇଁ ଯୋଜନା କରୁଥିବା ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିବାରେ ଭଞ୍ଜନଗର ପୋଲିସ ସଫଳ ହୋଇଛି। ପୋଲିସ ଏହି ଘଟଣାରେ ୭ ଜଣ କୁଖ୍ୟାତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ (ପିସ୍ତଲ), ଗୋଟିଏ ଖେଳଣା ଏୟାର ଗନ୍, ଗୋଟିଏ ଲୁହା ଖଣ୍ଡା ଏବଂ ୩ଟି ମୋଟରସାଇକେଲ ଜବତ କରାଯାଇଛି। ସୂଚନା ଯୋଗ୍ୟ ଯେ, ସେପ୍େଟମ୍ବର ୨୦ ତାରିଖ ରାତି ପ୍ରାୟ ୧୦ ଟା ସମୟରେ ଭଞ୍ଜନଗର ଥାନା ଏସ.ଆଇ. ସମୀର କୁମାର ସେଠୀ, ଏସ.ଆଇ. ସୁବ୍ରତ ଲେଙ୍କା ଏବଂ ପୋଲିସ ବାହିନୀ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ବେଳେ ?ରାତି ପ୍ରାୟ ୨:୩୦ ମିନିଟ୍ ସମୟରେ, ରାଜପଥ କଡ଼ରେ ଥିବା ଭେରେଡ଼ା ବସ୍ ଷ୍ଟପ୍ ନିକଟରେ ୮ ରୁ ୧୦ ଜଣ ଅପରାଧିକ ପୃଷ୍ଠଭୂମି ଥିବା ଯୁବକ ମାରାତ୍ମକ ଅସ୍ତ୍ରଶସ୍ତ୍ର ସହ ଏକତ୍ରିତ ହୋଇ ଡକାୟତି ଓ ଲୁଟପାଟ ପାଇଁ ଯୋଜନା କରୁଥିବା ନେଇ ଏସ.ଆଇ. ସେଠୀଙ୍କୁ ଗୁପ୍ତ ସୂଚନା ମିଳିଥିଲା। ସୂଚନା ପାଇବା ମାତ୍ରକେ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳ ଭେରେଡ଼ା ବସ୍ ଷ୍ଟପ୍ ରେ ଅଚାନକ ଚଢ଼ାଉ କରି ୭ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଆଜାଦ ନାୟକ, ବିଭୁ ଜେନା,ମନୋଜ ପାତ୍ର, ରାକେଶ ବିଷୋୟୀ, ସଙ୍କେତସନ ପଟ୍ଟନାୟକ ଓରଫ ସିଟୁ (ସମସ୍ତ ଙ୍କ ଘର ଭଞ୍ଜନଗର ଥାନା ରଭେଜିପୁଟ),ସୁଶୀଲ କୁମାର ମିଶ୍ର (ବାଗଦେବୀ ରୋଡ୍) ଓ ଶୁଭମ୍ କୁମାର ସେଠୀ ପଥରାପଲ୍ଲୀ, ଥାନା- ବେଲଗୁଣ୍ଠା ବୋଲି ପୁଲିସ ସୂଚନା ଦେଇଛି। ଏଥିସହ ପୁଲିସ ଏମାନଙ୍କ ନିକଟରୁ ଗୋଟିଏ ସିଙ୍ଗଲ ଶଟ୍ ଦେଶୀ ପିସ୍ତଲ, ଗୋଟିଏ ଖେଳଣା ଏୟାର ଗନ୍, ଗୋଟିଏ ଲୁହା ବଡ ଖଣ୍ଡା, ୩ ଟି ମୋଟର ସାଇକେଲ ଜବତ କରିଛି।
ଏ ସମ୍ପର୍କରେ ଭଞ୍ଜନଗର ଥାନାରେ କେସ୍ ନଂ ୧୦୦୦/୨୦୨୬, ଧାରା ୩୧୦(୪)/୩୧୦(୫) ବିଏନ୍?ଏସ୍ ଏବଂ ୨୫(୧-ଈ)(ଭ)/୨୫(୧)(ବ) ଆର୍ମ୍ସ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଏସ.ଆଇ. ଲକ୍ଷ୍ମୀଧର ମହାନ୍ତି କରୁଛନ୍ତି। ଗିରଫ ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି ବୋଲି ଭଞ୍ଜନଗର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଡକ୍ଟର ଦୀପକ କୁମାର ମିଶ୍ର ସୂଚନା ଦେଇଛନ୍ତି। ଏଥିରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସଆଇ ସମୀର କୁମାର ସେଠୀଙ୍କ ସହ ବହୁ ପୁଲିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
