ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂହ ନିଜର ଦ୍ୱିତୀୟ ସନ୍ତାନ ଭାବେ ଏକ କନ୍ୟା ସନ୍ତାନକୁ ସ୍ୱାଗତ କରିଛନ୍ତି। ଶନିବାର ସନ୍ଧ୍ୟାରେ ଏହି ଦମ୍ପତି ଏକ ମିଳିତ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ଖୁସି ଖବର ସେୟାର କରିଥିଲେ। ଏହି ଘୋଷଣା ସହିତ ଏକ ଶିଶୁର ପାଦଚିହ୍ନର ଛବି ପ୍ରକାଶ କରାଯାଇଥିଲା, ଯାହା ପରିବାରର ସଦସ୍ୟ ସଂଖ୍ୟା ତିନିରୁ ଚାରିକୁ ବୃଦ୍ଧି ପାଇବାକୁ ସୂଚିତ କରୁଥିଲା। ସେମାନଙ୍କ ପୋଷ୍ଟରେ ଲେଖାଥିଲା: “ସ୍ୱାଗତ କନ୍ୟା ସନ୍ତାନ। ୧୯।୯।୨୦୨୬ ଦୁଆ, ଦୀପିକା ଏବଂ ରଣବୀର।’ ଏଥିସହିତ “ଇଭିଲ୍ ଆଇ’ (ନଜର ଦୋଷରୁ ରକ୍ଷା ପାଇବା ପାଇଁ ବ୍ୟବହୃତ) ଇମୋଜି ମଧ୍ୟ ବ୍ୟବହାର କରାଯାଇଥିଲା। ଦୀପିକା ଏବଂ ରଣବୀର ପୂର୍ବରୁ “ଦୁଆ’ ନାମକ ଏକ କନ୍ୟା ସନ୍ତାନର ପିତାମାତା ଅଟନ୍ତି। ସନ୍ତାନ ଜନ୍ମ ହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଗତକାଲି ଏହି ଦମ୍ପତି ଆଶୀର୍ବାଦ ଲାଭ କରିବା ପାଇଁ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର ପରିଦର୍ଶନ କରିଥିଲେ। ଏହି ଦମ୍ପତି ନିକଟରେ ଦୁଆର ଦ୍ୱିତୀୟ ଜନ୍ମଦିନ ଅବସରରେ କିଛି ଘନିଷ୍ଠ ମୁହୂର୍ତ୍ତର କଳା-ଧଳା ଫଟୋ ସେୟାର କରିଥିଲେ। ଗୋଟିଏ ଛବିରେ ଦେଖିବାକୁ ମିଳିଥିଲା ଯେ ରଣବୀର ଦୀପିକାଙ୍କ ଗର୍ଭସ୍ଥ ସନ୍ତାନ ଥିବା ସ୍ଥାନକୁ (ବେବି ବମ୍ପ୍) ଧରି ରଖିଛନ୍ତି ଏବଂ ଉଭୟ ପରସ୍ପରର କପାଳ ଛୁଆଁଇ ହସୁଛନ୍ତି। ଦୀପିକା ଏକ ଫିଟେଡ୍ ଲେସ୍ ପୋଷାକ ପିନ୍ଧିଥିବା ବେଳେ ରଣବୀର ଏକ ଧଳା ସାର୍ଟ ଓ ଟ୍ରାଉଜର ପିନ୍ଧିଥିବାର ନଜର ଆସିଥିଲେ।
