ପୁରୀ: ଶ୍ରୀଜଗନ୍ନାଥ ଧାମ ସହ ପୁରୀବାସୀଙ୍କ ସମ୍ପର୍କ କେବଳ ଏକ ସହର ଓ ଏକ ମନ୍ଦିରର ସମ୍ପର୍କ ନୁହେଁ; ଏହା ଆସ୍ଥା, ଭକ୍ତି, ପରମ୍ପରା ଓ ପିଢ଼ି ପରେ ପିଢ଼ି ଚାଲିଆସୁଥିବା ଏକ ଆତ୍ମିକ ବନ୍ଧନ। ଏହି ଭାବନାକୁ ଆଧାର କରି ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନରେ ସ୍ପଷ୍ଟ, ସୁବିଧାଜନକ, ସମ୍ମାନଜନକ ଓ ସ୍ଥାୟୀ ବ୍ୟବସ୍ଥା ଦାବିରେ ଚାଲିଥିବା ନିରବ ପଦଯାତ୍ରା ଆଜି ୧୭୨ତମ ଦିନରେ ପହଞ୍ଚିଛି। ଗତ ୧ ଅପ୍ରେଲ ଉତ୍କଳ ଦିବସରୁ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପ୍ରତିଦିନ ଏହି ପଦଯାତ୍ରା ଆରମ୍ଭ ହେଉଛି। ପଦଯାତ୍ରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରି ପତିତପାବନଙ୍କ ଦର୍ଶନ କରିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପୁରୀବାସୀଙ୍କ ଦୀର୍ଘଦିନର ଦାବିର ଏକ ସ୍ଥାୟୀ ଓ ସମ୍ମାନଜନକ ସମାଧାନ ପାଇଁ ପ୍ରାର୍ଥନା କରୁଛନ୍ତି। ପ୍ରବଳ ଗ୍ରୀଷ୍ମ, ବର୍ଷା ଓ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ୧୭୨ ଦିନ ଧରି ଏହି ପଦଯାତ୍ରା ଅବିରତ ଭାବେ ଜାରି ରହିଛି।ଦୀର୍ଘ ଦିନର ଏହି ଯାତ୍ରା ଏବେ ପୁରୀବାସୀଙ୍କ ଧୈର୍ଯ୍ୟ, ଆସ୍ଥା ଓ ସଂକଳ୍ପର ଏକ ନିରବ ପ୍ରତୀକ ପାଲଟିଛି। କୌଣସି ଉତ୍ତେଜନା କିମ୍ବା ଅଶାନ୍ତିର ପଥ ନ ଆପଣାଇ ଶାନ୍ତି, ସଂଯମ ଓ ଅହିଂସାର ମାର୍ଗରେ ପଦଯାତ୍ରା ଜାରି ରହିଛି। ପ୍ରତ୍ୟେକ ଦିନର ପଦକ୍ଷେପ ମାଧ୍ୟମରେ ସତ୍ୟାଗ୍ରହୀମାନେ ନିଜ ଦାବିକୁ ଗଣତାନ୍ତ୍ରିକ ପଦ୍ଧତିରେ ସମାଜ ଓ ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରୁଛନ୍ତି।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଏହି ପଦକ୍ଷେପ କୌଣସି ଦଳୀୟ ରାଜନୀତିର ଅଂଶ ନୁହେଁ। ପୁରୀବାସୀଙ୍କ ଭାବନା, ଆସ୍ଥା ଓ ଆକାଂକ୍ଷାକୁ ଅହିଂସାପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ ସରକାରଙ୍କ ନିକଟରେ ପହଞ୍ଚାଇବା ହେଉଛି ଏହି ପଦଯାତ୍ରାର ମୂଳ ଉଦ୍ଦେଶ୍ୟ। ପୁରୀବାସୀଙ୍କ ପ୍ରତିନିଧିମାନଙ୍କ ସହ ସରକାର ସାର୍ଥକ ଆଲୋଚନା କରି ଏହି ପ୍ରସଙ୍ଗରେ ଏକ ସ୍ପଷ୍ଟ, ସ୍ଥାୟୀ ଓ ସମ୍ମାନଜନକ ସମାଧାନର ପଥ ଖୋଜନ୍ତୁ ବୋଲି ସେ ଆହ୍ୱାନ ଜଣାଇଛନ୍ତି।ସତ୍ୟାଗ୍ରହୀମାନଙ୍କ କହିବା ଅନୁଯାୟୀ, ଏହି ଆନ୍ଦୋଳନର ଉଦ୍ଦେଶ୍ୟ କାହା ବିରୋଧରେ ଯିବା ନୁହେଁ; ବରଂ ପୁରୀବାସୀଙ୍କ ଭାବନାକୁ ସମ୍ମାନ ଦେଇ ଆଲୋଚନା ଓ ବୁଝାମଣା ମାଧ୍ୟମରେ ସମାଧାନର ରାସ୍ତା ଖୋଜିବା। ଏଥିପାଇଁ ସରକାରଙ୍କ ପକ୍ଷରୁ ଏକ ସ୍ପଷ୍ଟ ଓ ସ୍ଥାୟୀ ବ୍ୟବସ୍ଥାର ଆଶା ରଖିଛନ୍ତି ସେମାନେ।

ଆଜି ପବିତ୍ର ରାଧାଷ୍ଟମୀ। ଭକ୍ତି, ପ୍ରେମ, ସମର୍ପଣ ଓ ଆସ୍ଥାର ଏହି ପବିତ୍ର ତିଥିରେ ମଧ୍ୟ ପଦଯାତ୍ରା ଜାରି ରହିଥିଲା। ଏହି ଅବସରରେ ପଦଯାତ୍ରାରେ ସାମିଲ ସତ୍ୟାଗ୍ରହୀ ମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପୁରୀବାସୀଙ୍କ ଦୀର୍ଘଦିନର ଆକାଂକ୍ଷା ପୂରଣ ପାଇଁ ପ୍ରାର୍ଥନା କରିଥିଲେ। ପୁରୀବାସୀଙ୍କ ଭାବନାକୁ ସମ୍ମାନ ମିଳୁ, ସମସ୍ତ ପକ୍ଷ ମଧ୍ୟରେ ସାର୍ଥକ ଆଲୋଚନା ହେଉ ଏବଂ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ଏକ ସ୍ପଷ୍ଟ, ସୁବିଧାଜନକ, ସମ୍ମାନଜନକ ଓ ସ୍ଥାୟୀ ବ୍ୟବସ୍ଥା ଗଢ଼ିଉଠୁ ବୋଲି ସେମାନେ ପ୍ରାର୍ଥନା କରିଥିଲେ।ରାଧାଷ୍ଟମୀର ପବିତ୍ର ପରିବେଶ ମଧ୍ୟରେ ଆଜିର ପଦଯାତ୍ରାରେ ଭକ୍ତି ଓ ସଂକଳ୍ପର ଏକ ନିଆରା ଚିତ୍ର ପରିଲକ୍ଷିତ ହୋଇଥିଲା। ମହାପ୍ରଭୁଙ୍କ ପ୍ରତି ଆସ୍ଥା ରଖି ସତ୍ୟାଗ୍ରହୀମାନେ ଶାନ୍ତି ଓ ଅହିଂସାର ମାର୍ଗରେ ନିଜ ଦାବିକୁ ଆଗେଇ ନେବାର ସଂକଳ୍ପ ପୁନର୍ବ୍ୟକ୍ତ କରିଥିଲେ। ଏହି ଅବସରରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ସୁକାନ୍ତ ପଣ୍ଡା, ନୃସିଂହନାଥ ନାୟକ, କିଶୋର ଚନ୍ଦ୍ର ଦାସ, ଲିଙ୍ଗରାଜ ସାହୁ, ଅରୁଣା ପଟ୍ଟନାୟକ, ସନ୍ଧ୍ୟାରାଣୀ ମିଶ୍ର, ଭାରତୀ ମହାନ୍ତି, ଇଶାନୀ ନାୟକ, ମମତା ସ୍ୱାଇଁ, ଜଗଦାନନ୍ଦ ରାୟ, ରମେଶ ଚନ୍ଦ୍ର ମହାନ୍ତି, ପ୍ରକାଶ ଚନ୍ଦ୍ର ନାୟକ, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ସନ୍ତୋଷ ସେନାପତି, ଲିଙ୍ଗରାଜ ସାହୁ, କାଶୀନାଥ ସାହୁ, ସୁବାଷ ପଟ୍ଟନାୟକ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ୧୭୨ତମ ଦିନର ପଦଯାତ୍ରାରେ ସାମିଲ ହୋଇଥିଲେ।ଏହି ପଦଯାତ୍ରା ଏବେ ଏକ ନିରବ ଦଲିଲରେ ପରିଣତ ହୋଇଛି। ସମୟ ବଦଳିଛି, ଦିନ ଗଡ଼ିଛି, କିନ୍ତୁ ଦାବିରେ ପରିବର୍ତ୍ତନ ଆସିନାହିଁ। ଶାନ୍ତିପୂର୍ଣ୍ଣ ପଦକ୍ଷେପ ମାଧ୍ୟମରେ ନିଜ ଅଭିବ୍ୟକ୍ତି ରଖିବା ଏବଂ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ଖୋଜିବାର ଆଶା ଏବେ ମଧ୍ୟ ଅବିଚଳ ରହିଛି। ଏହି ଯାତ୍ରା କାହା ବିରୋଧରେ ନୁହେଁ; ଏହା ପୁରୀବାସୀଙ୍କ ଭାବନାକୁ ସମ୍ମାନ ଦେଇ ଏକ ସ୍ପଷ୍ଟ ଓ ସ୍ଥାୟୀ ବ୍ୟବସ୍ଥା ପାଇଁ ଚାଲିଥିବା ଏକ ଶାନ୍ତିପୂର୍ଣ୍ଣ ପ୍ରୟାସ। ୧୭୨ ଦିନର ପଦଚିହ୍ନ ଏକଥା ହିଁ କହୁଛି—ପଥ ଶାନ୍ତ, ଦାବି ସ୍ପଷ୍ଟ, ସଂକଳ୍ପ ଅଟଳ ଏବଂ ସ୍ଥାୟୀ ସମାଧାନର ଆଶା ଅବିଚଳ। ପବିତ୍ର ରାଧାଷ୍ଟମୀର ହାର୍ଦ୍ଦିକ ଶୁଭେଚ୍ଛା।
