ନୂଆଦିଲ୍ଲୀ: ଶନିବାର ଦିନ ନୂଆଦିଲ୍ଲୀର ଜନ୍ତର ମନ୍ତର ଠାରେ କକ୍ରୋଚ୍ ଜନତା ପାର୍ଟି’ (ସିଜେପି)ର ପ୍ରସ୍ତାବିତ ବିକ୍ଷୋଭକୁ ଦୃଷ୍ଟିରେ ରଖି ଏବଂ ସମ୍ଭାବ୍ୟ ଟ୍ରାଫିକ୍ ସମସ୍ୟା ତଥା ପରିଚାଳନାଗତ କାରଣରୁ ରେଳବାଇ ଶୁକ୍ରବାର ଦିନ ଅନେକ ଟ୍ରେନ୍ ସେବା ବାତିଲ କରିବା ସହ ଅନ୍ୟ କିଛି ଟ୍ରେନର ସମୟସୂଚୀରେ ପରିବର୍ତ୍ତନ କରିଛି। ରେଳ ବୋର୍ଡ, ପଶ୍ଚିମ ରେଳବାଇ, ଉତ୍ତର-ପଶ୍ଚିମ ରେଳବାଇ ଏବଂ ପଶ୍ଚିମ-କେନ୍ଦ୍ରୀୟ ରେଳବାଇ ଦ୍ୱାରା ଘୋଷିତ ଏହି ବାତିଲ ନିଷ୍ପତ୍ତି ମୁମ୍ବାଇ, ଭୋପାଳ, ଜବଲପୁର, ଉଦୟପୁର, ଇନ୍ଦୋର ଏବଂ ହିସାର ଭଳି ବିଭିନ୍ନ ସହରକୁ ଦିଲ୍ଲୀ ସହ ସଂଯୋଗ କରୁଥିବା ଟ୍ରେନ୍ ସେବା ଉପରେ ପ୍ରଭାବ ପକାଇବ। ରେଳ ବୋର୍ଡ ଅକ୍ଟୋବର ୧୦ ତାରିଖ ସକାଳ ୪ଟାରୁ ଦ୍ୱିପହର ୨ଟା ମଧ୍ୟରେ ନୂଆଦିଲ୍ଲୀ ଏବଂ ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନରେ ପହଞ୍ଚିବାକୁ ଥିବା ନିର୍ଦ୍ଦିଷ୍ଟ ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନ୍ଗୁଡ଼ିକୁ ବାତିଲ କରିଛି। ଏହି ନିର୍ଦ୍ଦେଶ ସେହି ଟ୍ରେନ୍?ଗୁଡ଼ିକ ପାଇଁ ଲାଗୁ ହେବ ଯାହା ଅକ୍ଟୋବର ୯ ତାରିଖ ଦ୍ୱିପହର ୨ଟା ପରେ ନିଜର ଉତ୍ପତ୍ତି ସ୍ଥାନରୁ ବାହାରିବେ ଏବଂ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଉକ୍ତ ଷ୍ଟେସନଗୁଡ଼ିକରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି। ପଶ୍ଚିମ ରେଳବାଇ ଘୋଷଣା କରିଛି ଯେ ମୁମ୍ବାଇ ସେଣ୍ଟ୍ରାଲ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଏବଂ ମୁମ୍ବାଇ ସେଣ୍ଟ୍ରାଲ-ହଜରତ ନିଜାମୁଦ୍ଦିନ ଅଗଷ୍ଟ କ୍ରାନ୍ତି ରାଜଧାନୀ ଏକ୍ସପ୍ରେସର ସମୟସୂଚୀ ୫ ଘଣ୍ଟା ପଛକୁ ଘୁଞ୍ଚାଇ ଦିଆଯାଇଛି। ଏହା ବାନ୍ଦ୍ରା ଟର୍ମିନସ୍-ହଜରତ ନିଜାମୁଦ୍ଦିନ ଏକ୍ସପ୍ରେସ, ଡକ୍ଟର ଆମ୍ବେଦକର ନଗର-ନୂଆଦିଲ୍ଲୀ ଏକ୍ସପ୍ରେସ, ଇନ୍ଦୋର-ହଜରତ ନିଜାମୁଦ୍ଦିନ ଏକ୍ସପ୍ରେସ, ଇନ୍ଦୋର-ନୂଆଦିଲ୍ଲୀ ଏକ୍ସପ୍ରେସ ଏବଂ ସାବରମତୀ-ନୂଆଦିଲ୍ଲୀ ଏକ୍ସପ୍ରେସକୁ ମଧ୍ୟ ବାତିଲ କରିଛି। ଉତ୍ତର-ପଶ୍ଚିମ ଏଥିମଧ୍ୟରେ ସିରସା-ତିଲକ ବ୍ରିଜ୍, ହଜରତ ନିଜାମୁଦ୍ଦିନ୍-ଉଦୟପୁର ସିଟି, ତିଲକ ବ୍ରିଜ୍-ଭିୱାନି, ଭିୱାନି-ତିଲକ ବ୍ରିଜ୍ ଏବଂ ତିଲକ ବ୍ରିଜ୍-ଶ୍ରୀଗଙ୍ଗାନଗର ଟ୍ରେନ୍ ଅନ୍ତର୍ଭୁକ୍ତ। ଏହି ବାତିଲ୍ ଯୋଗୁଁ ରେୱାରି-ଦିଲ୍ଲୀ ସେବା, ଦିଲ୍ଲୀ-ରେୱାରି ଟ୍ରେନ, ହିସାର-ଦିଲ୍ଲ. ହିସାର-ନୂଆଦିଲ୍ଲୀ ଏବଂ ନୂଆଦିଲ୍ଲୀ-ହିସାର ମଧ୍ୟ ପ୍ରଭାବିତ ହୋଇଛି। ଜାତୀୟ ରାଜଧାନୀରେ ଅତ୍ୟଧିକ ଟ୍ରାଫିକ୍ ଜାମ ହେବାର ଆଶଙ୍କା ଥିବାରୁ ପଶ୍ଚିମ କେନ୍ଦ୍ରୀୟ ରେଳବାଇ ସ୍ୱତନ୍ତ୍ର ଭାବେ ଦିଲ୍ଲୀ ଅଭିମୁଖେ ଯାଉଥିବା ପାଞ୍ଚଟି ଟ୍ରେନ୍?କୁ ଗୋଟିଏ ଦିନ ପାଇଁ ବାତିଲ୍ କରିଛି। ପ୍ରଭାବିତ ଟ୍ରେନ୍ଗୁଡ଼ିକ ହେଲା ମହାକୌଶଳ ଏକ୍ସପ୍ରେସ, ଜବଲପୁର-ନିଜାମୁଦ୍ଦିନ୍ ସମ୍ପର୍କ କ୍ରାନ୍ତି, ଜବଲପୁର-ନିଜାମୁଦ୍ଦିନ୍ ସୁପରଫାଷ୍ଟ, ଭୋପାଳ-ନିଜାମୁଦ୍ଦିନ୍ ଏବଂ କୋଟା-ନିଜାମୁଦ୍ଦିନ୍। ଏହି ବିକ୍ଷୋଭ ପ୍ରଦର୍ଶନ ପାଇଁ ରାଜଧାନୀକୁ ଆସିବାକୁ ଥିବା ଯୁବକଯୁବତୀଙ୍କ ଚଳପ୍ରଚଳକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଦିଲ୍ଲୀ ପୋଲିସ, ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍କୁ ୫୭ଟି ମେଟ୍ରୋ ଷ୍ଟେସନ୍ ବନ୍ଦ କରିବାକୁ ଅନୁରୋଧ କରିଛି। ଜନସାଧାରଣଙ୍କ ସୁରକ୍ଷା, ଆଇନ-ଶୃଙ୍ଖଳା ଏବଂ ଟ୍ରାଫିକ୍ ପରିଚାଳନା ସମ୍ବନ୍ଧୀୟ ଚିନ୍ତାଧାରାକୁ ଦୃଷ୍ଟିରେ ରଖି ପୋଲିସ ଏହି ବିକ୍ଷୋଭ ପାଇଁ ଅନୁମତି ପ୍ରଦାନ କରିନାହିଁ।
