କଟକ: ପାରାଦୀପ ଉପକୂଳରେ ଦୀର୍ଘ ମାସ ଧରି ଅଟକି ରହିଥିବା ବିଦେଶୀ ତୈଳବାହୀ ଜାହାଜ ‘ଏମ୍?ଟି ୟୁନିଟି’ରେ ଫସି ରହିଥିବା ନାବିକମାନଙ୍କୁ ଉଦ୍ଧାର କରି ସେମାନଙ୍କ ନିଜ ଦେଶକୁ ଫେରାଇବା ଲାଗି ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭବ ହେଲେ ଆସନ୍ତା ତିନି ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ କେନ୍ଦ୍ର ସରକାର ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କୋର୍ଟ କହିଛନ୍ତି। ତେବେ ନାବିକମାନଙ୍କୁ ଫେରାଇବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଜାହାଜଟି ଜବତ ଅବସ୍ଥାରେ ରହିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଜାହାଜର ମାଷ୍ଟର ତଥା ରୁଷୀୟ ନାଗରିକ ଇଷ୍ଟ୍ୟାଗିନ୍ ଏଭ୍?ଜେନି ନିକୋଲାଏଭିଚ୍?ଙ୍କ ପକ୍ଷରୁ ଦାଖଲ ରିଟ୍? ପିଟିସନ୍?ର ଶୁଣାଣି କରି ବିଚାରପତି ଜଷ୍ଟିସ୍? ଆ?ର୍.କେ. ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି।ଜାହାଜ ମାଲିକ ନାବିକମାନଙ୍କୁ ଦରମା ପ୍ରଦାନ ନକରିବା, ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରିବା ସହ ସେମାନଙ୍କୁ ବଦଳାଇବା କିମ୍ବା ସ୍ୱଦେଶ ଫେରାଇବା ପାଇଁ ବ୍ୟବସ୍ଥା ନକରି ଛାଡ଼ି ଚାଲିଯାଇଥିବା କୋର୍ଟ ଉଲ୍ଲେଖ କରିଛନ୍ତି। ଏହା ମର୍ଚାଣ୍ଟ ସିପିଂ ଆଇନ ଅନୁଯାୟୀ ନାବିକମାନଙ୍କୁ ପରିତ୍ୟକ୍ତ କରାଯିବା ସହ ସମ୍ପୃକ୍ତ ବୋଲି ଅଦାଲତ କହିଛନ୍ତି। ନାବିକମାନଙ୍କୁ ଜାହାଜରୁ ଓହ୍ଲାଇ ସେମାନଙ୍କ ଦେଶକୁ ପଠାଇବା ସହ ଜାହାଜରେ ନୂତନ ନାବିକ ଦଳ ନିୟୋଜିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ଜାହାଜ ମାଲିକ କିମ୍ବା ଦାୟୀ ବୋଲି ଚିହ୍ନଟ ହେଉଥିବା ଅନ୍ୟ ବ୍ୟକ୍ତିଙ୍କଠାରୁ ଆଦାୟ କରାଯାଇପାରିବ ବୋଲି କୋର୍ଟ ମତ ଦେଇଛନ୍ତି। କାମେରୁନ୍?ର ପତାକା ବହନ କରୁଥିବା ଏହି ତୈଳବାହୀ ଜାହାଜ ଗତ ମେ’ ୧୧ ତାରିଖରୁ ପାରାଦୀପ ବନ୍ଦରର ବାହ୍ୟ ଲଙ୍ଗରସ୍ଥଳରେ ରହିଛି। ରୁଷିଆରୁ ଆସିଥିବା ଅଶୋଧିତ ତୈଳ ଖଲାସ କରିବା ଏହାର ଉଦ୍ଦେଶ୍ୟ ଥିଲା। ତେବେ ଜାହାଜ ମାଲିକଙ୍କ ବିରୋଧରେ ରହିଥିବା ବାଣିଜ୍ୟିକ ଦାବିକୁ ନେଇ ହାଇକୋର୍ଟରେ ଦାଖଲ ତିନୋଟି ଆଡମିରାଲ୍ଟି ମାମଲାରେ ଏହାକୁ ଜବତ କରାଯାଇଛି। ଜାହାଜର ମାଷ୍ଟରଙ୍କ ସମେତ ମୋଟ ୨୩ ଜଣ ନାବିକ ଏହା ମଧ୍ୟରେ ରହିଆସିଛନ୍ତି।କୋଲକାତାସ୍ଥିତ ରୁଷିଆର କନସୁଲେଟ୍? ଜେନେରାଲଙ୍କ ସୂଚନା ଅନୁଯାୟୀ, ସେମାନଙ୍କ ମଧ୍ୟରୁ ୨୦ ଜଣ ରୁଷୀୟ, ଦୁଇ ଜଣ ଇଜିପ୍ଟର ଏବଂ ଜଣେ କାଜାଖସ୍ତାନର ନାଗରିକ। ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ, ମେ’ ମାସରୁ ସେମାନଙ୍କୁ ଦରମା ମିଳିନଥିଲା। ଜାହାଜରେ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟ ଜରୁରୀ ସାମଗ୍ରୀର ଅଭାବ ମଧ୍ୟ ଦେଖାଦେଇଥିଲା। ଜାହାଜ ମାଲିକ କିମ୍ବା ସ୍ଥାନୀୟ ଏଜେଣ୍ଟ ଏହାର ସମାଧାନ ପାଇଁ ପଦକ୍ଷେପ ନେଇନଥିବା ମାଷ୍ଟର ନିଜ ଆବେଦନରେ ଦର୍ଶାଇଥିଲେ।ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ଭାରତୀୟ ଜଳସୀମା ମଧ୍ୟରେ ଥିବା ବିଦେଶୀ ନାବିକଙ୍କ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ବୋଲି ଆବେଦନକାରୀ ଯୁକ୍ତି ରଖିଥିଲେ। ପରବର୍ତ୍ତୀ ସମୟରେ ଜାହାଜର ବୀମାକାରୀ ସଂସ୍ଥା ନାବିକମାନଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇବା ସହ ବକେୟା ଦରମା ପ୍ରଦାନ କରିଥିଲା। ଏହି ମାମଲାର ପ୍ରଥମ ଶୁଣାଣି ଚଳିତ ବର୍ଷ ଅଗଷ୍ଟରେ ହୋଇଥିଲା। ସେତେବେଳେ ହାଇକୋର୍ଟ କେନ୍ଦ୍ର ସରକାର ଓ ଅନ୍ୟ ସମ୍ପୃକ୍ତ ପକ୍ଷଙ୍କୁ ନୋଟିସ୍? ଜାରି କରିବା ସହ ଜାହାଜ ମଧ୍ୟରେ ଜମା ହୋଇଥିବା ସ୍ଲଜ୍? ବା ତୈଳଜାତ ବର୍ଜ୍ୟକୁ ତୁରନ୍ତ ହଟାଇବା ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ପରେ ସେପ୍େଟମ୍ବରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନାବିକମାନଙ୍କ କଲ୍ୟାଣ ଓ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ରୁଷିଆ ଦୂତାବାସ ସହ ନିୟମିତ ଯୋଗାଯୋଗ ରଖାଯାଉଥିବା ସୂଚନା ଦିଆଯାଇଥିଲା। ନାବିକମାନଙ୍କୁ ସ୍ୱଦେଶ ଫେରାଇବା ପାଇଁ ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ମାମଲାରେ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି। ତେବେ ନାବିକମାନଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆଗେଇଲେ ମଧ୍ୟ ବାଣିଜ୍ୟିକ ଦାବି ସମ୍ପର୍କିତ ମାମଲାରେ ଜାହାଜଟି ଜବତ ଅବସ୍ଥାରେ ରହିବ।
