ନୂଆଦିଲ୍ଲୀ: ନିର୍ବାଚନ ବ୍ୟବସ୍ଥାରେ କଥିତ ଅନିୟମିତତା ସମ୍ପର୍କରେ ଆଲୋଚନା କରିବା ପାଇଁ “ଇଣ୍ଡିଆ’ ମେଣ୍ଟର ପ୍ରତିନିଧି ଦଳ ଶୁକ୍ରବାର ସଂଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପରେ, ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ଏଥିପାଇଁ “ଆଶ୍ଚର୍ଯ୍ୟ’ ହୋଇଥିଲେ ଯେ ରାଷ୍ଟ୍ରପତି ସେମାନଙ୍କ ଦାବିକୁ “ଅସ୍ୱୀକାର କରିନଥିଲେ’, ଯଦିଓ ସେ ପ୍ରମାଣ ମାଗିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, “ନିର୍ବାଚନରେ କିପରି ଜାଲିଆତି କରାଯାଇ ଭୋଟ୍ ଚୋରି କରାଯାଇଛି, ସେନେଇ ଆମ ପାଖରେ ସମସ୍ତ ପ୍ରମାଣ ରହିଛି। ସମଗ୍ର ଦେଶ ଏହା ଦେଖିଛି।’ ଏହି ଆଲୋଚନା ସମ୍ପର୍କରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ବିବୃତ୍ତି ପ୍ରକାଶ ପାଇନାହିଁ। ରାଷ୍ଟ୍ରପତି ଭବନ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କଂଗ୍ରେସ ନେତା କହିଥିଲେ – ରାଷ୍ଟ୍ରପତିଙ୍କ ସହ ହୋଇଥିବା ପ୍ରାୟ ଏକ ଘଣ୍ଟା ବ୍ୟାପୀ ବୈଠକରେ ଗାନ୍ଧୀ ଏବଂ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ସମେତ ଏକ ପ୍ରତିନିଧି ଦଳ ସାମିଲ ଥିଲେ – “ଆମେ ରାଷ୍ଟ୍ରପତିଙ୍କ ନିକଟକୁ ଏକ ସ୍ମାରକପତ୍ର ନେଇ ଯାଇଥିଲୁ… ଆମେ କହିଲୁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଭାରତୀୟ ଗଣତନ୍ତ୍ରକୁ ଧ୍ୱଂସ କରିବା ପାଇଁ ଷଡଯନ୍ତ୍ର କରିଛନ୍ତି। ଆମେ କହିଥିବା କଥାକୁ ରାଷ୍ଟ୍ରପତି କୌଣସି ପ୍ରକାରେ ଅସ୍ୱୀକାର କରିନଥିଲେ।’ କଂଗ୍ରେସ ସାଂସଦ ଆହୁରି ମଧ୍ୟ କହିଛନ୍ତି, “ଆମେ ସୋମବାର ଦିନ ସୁପ୍ରିମକୋର୍ଟ ଯାଇ ଭାରତର ମୁଖ୍ୟ ବିଚାରପତିଙ୍କୁ ଭେଟିବୁ ଏବଂ ତାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବୁ।
