ଲକ୍ଷ୍ନୌ: ଶୁକ୍ରବାର ଦିନ ଉତ୍ତର ପ୍ରଦେଶରୁ ରାଜ୍ୟସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ୧୦ ଜଣ ପ୍ରାର୍ଥୀ – ଯେଉଁଥିରେ ଭାରତୀୟ ଜନତା ପାର୍ଟିର ୮ ଜଣ ଏବଂ ସମାଜବାଦୀ ପାର୍ଟିର ୨ ଜଣ ସାମିଲ ଥିଲେ – ସେମାନଙ୍କୁ ନିର୍ବିରୋଧ ନିର୍ବାଚିତ ଘୋଷଣା କରାଯାଇଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟସଭା ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଥିବା ଅଜିତ ବର୍ମା କହିଛନ୍ତି, “ରାଜ୍ୟସଭା ଦ୍ୱି-ବାର୍ଷିକ ନିର୍ବାଚନ ପାଇଁ ମଇଦାନରେ ଥିବା ସମସ୍ତ ୧୦ ଜଣ ପ୍ରାର୍ଥୀ – ବିଜେପିର ୮ ଜଣ ଓ ଏସପିର ୨ ଜଣ – ନିର୍ବିରୋଧ ନିର୍ବାଚିତ ହୋଇଛନ୍ତି।’ ଉତ୍ତର ପ୍ରଦେଶ ବିଧାନସଭାର ସ୍ୱତନ୍ତ୍ର ସଚିବ ତଥା ନିର୍ବାଚନ ଅଧିକାରୀ ଶ୍ରୀ ବର୍ମା କହିଛନ୍ତି, “ସମାଜବାଦୀ ପାର୍ଟି ପ୍ରାର୍ଥୀ ଧନରାଜ ପରିମଲ ନାଥୱାନୀଙ୍କୁ ଛାଡ଼ି ଅନ୍ୟ ସମସ୍ତେ ନିଜର ନିର୍ବାଚନ ପ୍ରମାଣପତ୍ର ସଂଗ୍ରହ କରିସାରିଛନ୍ତି। ସମାଜବାଦୀ ପାର୍ଟି ନେତା ରାମ ଗୋପାଳ ଯାଦବ ଏବଂ ବିଜେପି ପ୍ରାର୍ଥୀ ରାଧାକାନ୍ତ ଓଝାଙ୍କ ପ୍ରତିନିଧିମାନେ ସେମାନଙ୍କ ପକ୍ଷରୁ ଏହି ପ୍ରମାଣପତ୍ର ସଂଗ୍ରହ କରିଛନ୍ତି।’ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ୧୦ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ନଭେମ୍ବର ୨୫ ତାରିଖରେ ଶେଷ ହେଉଥିବାରୁ ଏହି ଉଚ୍ଚ ସଦନ ପାଇଁ ଦ୍ୱି-ବାର୍ଷିକ ନିର୍ବାଚନ ଅନୁଷ୍ଠିତ ହେଉଛି।
