କୋଲକାତା: ପଶ୍ଚିମବଙ୍ଗରେ ରାଜନୈତିକ ନାଟକର ଅନ୍ତ ନାହିଁ। ରେଜିନଗର ଉପ-ନିର୍ବାଚନ ପ୍ରତିଯୋଗିତାରୁ ଓହରିଯିବା ନେଇ ଘୋଷଣା କରିବାର କିଛି ଘଣ୍ଟା ପରେ, ମମତା ବାନାର୍ଜୀଙ୍କ ପ୍ରାର୍ଥୀ ରବିଉଲ୍ ଆଲାମ ଚୌଧୁରୀ ନିଜ ନିଷ୍ପତ୍ତି ବଦଳାଇ ନିର୍ବାଚନ ଲଢ଼ିବାକୁ ରାଜି ହୋଇଛନ୍ତି। ଶନିବାର ସକାଳେ ଚୌଧୁରୀ ଘୋଷଣା କରିଥିଲେ ଯେ ସେ ନିର୍ବାଚନ ମଇଦାନରୁ ଓହରି ଯାଉଛନ୍ତି; ରାଜ୍ୟ ପ୍ରଶାସନ ଦ୍ୱାରା ଦଳୀୟ କର୍ମୀମାନଙ୍କୁ ହଇରାଣ କରାଯିବାକୁ ସେ ଏହି ନିଷ୍ପତ୍ତି ପାଇଁ ଦାୟୀ କରିଥିଲେ। ସକାଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ କହିଥିଲେ, “ଏହି ସମୟରେ ଦଳ ପାଖରେ କୌଣସି ଅଫିସିଆଲ୍ ଚିହ୍ନ (ପ୍ରତୀକ) ନାହିଁ। ଦଳୀୟ କର୍ମୀମାନଙ୍କୁ ବିଭିନ୍ନ ଉପାୟରେ ହଇରାଣ କରାଯାଉଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ କାମ ପାଇଁ ଅଞ୍ଚଳ ଛାଡ଼ି ଚାଲିଯାଇଛନ୍ତି। ମୁଁ କାହା ସହିତ ନିର୍ବାଚନ ଲଢ଼ିବି? ପ୍ରଶାସନର ଚାପ ଯୋଗୁଁ କର୍ମୀମାନେ କହୁଛନ୍ତି ଯେ ସେମାନେ ନିର୍ବାଚନ ମଇଦାନରେ ରହିପାରିବେ ନାହିଁ। ଠିକ୍ ସେଥିପାଇଁ ମୁଁ ମୋର ନାମାଙ୍କନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି।’ କିନ୍ତୁ ଅପରାହ୍ନ ବେଳକୁ ସ୍ଥିତି ବଦଳିଗଲା। ଚୌଧୁରୀ କହିଲେ ଯେ ମମତା ବାନାର୍ଜୀଙ୍କ ଗୋଷ୍ଠୀ – ଯାହା ବର୍ତ୍ତମାନ “ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ (ଗଇଓଞଉ) ଭାବରେ ଜଣାଶୁଣା – ର ବରିଷ୍ଠ ନେତାମାନଙ୍କ ସହ ସାକ୍ଷାତ କରିବା ପରେ ସେ ଉପ-ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ଅନୁରୋଧ କ୍ରମେ ସେ ନିଜ ନିଷ୍ପତ୍ତି ବଦଳାଇଛନ୍ତି। ସେ କହିଲେ, “ମମତା ବାନାର୍ଜୀଙ୍କ କହିବା ଅନୁଯାୟୀ ମୁଁ ମୋର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ନିଷ୍ପତ୍ତି ବଦଳାଉଛି। ମୁଁ ନିର୍ବାଚନ ଲଢ଼ିବି। ମମତା ବାନାର୍ଜୀ ମୋ ସହ କଥା ହେବା ପରେ ମୁଁ ମୋ ନିଷ୍ପତ୍ତି ଉପରେ ପୁନର୍ବାର ବିଚାର କଲି।’ ଉଭୟ ନନ୍ଦିଗ୍ରାମ ଏବଂ ରେଜିନଗରରେ ଅକ୍ଟୋବର ୬ ତାରିଖରେ ଉପ-ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ।
