ହାଇଦ୍ରାବାଦ: ଶନିବାର ଭୋର ସମୟରେ ଏଠାକାର ନିକଟବର୍ତ୍ତୀ ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କ ସମେତ ମୋଟ ସାତ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ପୋଲିସ ସୂଚନା ଦେଇଛି। ଜାତୀୟ ରାଜପଥ-୪୪ରେ ଉପସ୍ଥିତ ପାଲାମାକୁଲା ଗ୍ରାମ ନିକଟରେ ଏକ ଚାରିଚକିଆ ଯାନ ରାସ୍ତା କଡ଼ରେ ଥିବା ଏକ କଲଭର୍ଟ (ଛୋଟ ପୋଲ) ସହ ଧକ୍କା ହେବା ଫଳରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି; ଏହି ମୃତକଙ୍କ ମଧ୍ୟରେ ଏକ ଦମ୍ପତି ମଧ୍ୟ ସାମିଲ ଥିଲେ। ଗାଡ଼ି ଚାଳକ ତଥା ପଞ୍ଚମ ଯାତ୍ରୀ ଜଣକ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶାମଶାବାଦ ଥାନା ଅଞ୍ଚଳର ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୃତ ପରିବାର ସଦସ୍ୟମାନେ ମହବୁବନଗର ଜିଲ୍ଲାର ନୱାବପେଟ ମଣ୍ଡଳ ଅନ୍ତର୍ଗତ ନିଜ ଗ୍ରାମ “ମେଟ୍ଟୁଗଡ଼ା ଥାଣ୍ଡା’ରେ ଗଣେଶ ବିସର୍ଜନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଶାମଶାବାଦ ଅଭିମୁଖେ ଯାତ୍ରା କରୁଥିଲେ। ଅନ୍ୟ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ, ଶାମିରପେଟ ଥାନା ଅଞ୍ଚଳରେ ଏକ ଟ୍ରକ୍ ଛିଡ଼ା ହୋଇଥିବା ଗାଡ଼ିକୁ ଧକ୍କା ଦେବା ଫଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ କହିଛି ଯେ, ଭଙ୍ଗା ଲୁହା ଓ ଅଦରକାରୀ ସାମଗ୍ରୀ (ସ୍କ୍ରାପ୍) ବୋଝେଇ ଗାଡ଼ିର ଗୋଟିଏ ଟାୟାର ପଙ୍କଚର ହୋଇଯିବାରୁ ସେଥିରେ ଥିବା ତିନି ଜଣ ଯାତ୍ରୀ “ଆଉଟର୍ ରିଙ୍ଗ୍ ରୋଡ୍’ର ଜରୁରୀକାଳୀନ ଲେନ୍ରେ ଗାଡ଼ି ଅଟକାଇ ଜ୍ୟାକ୍ ସାହାଯ୍ୟରେ ଟାୟାର ବଦଳାଉଥିଲେ। ସେହି ସମୟରେ ଅତି ଦ୍ରୁତ ଓ ଅସାବଧାନତାର ସହ ଚାଳିତ ଏକ ଟ୍ରକ୍ ସେହି ଛିଡ଼ା ହୋଇଥିବା ଗାଡ଼ିକୁ ଧକ୍କା ଦେଇଥିଲା। ଏହି ଧକ୍କା ଫଳରେ ତିନି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ ଏବଂ ସେମାନଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତୃତୀୟ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା।
