ନୂଆଦିଲ୍ଲୀ: ଜନ୍ତର ମନ୍ତରଠାରେ ହେବାକୁ ଥିବା ବିକ୍ଷୋଭ ପୂର୍ବରୁ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯିବା ପରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତା ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଏବଂ ସୌରଭ ଦାସଙ୍କୁ ପ୍ରତିଷେଧକମୂଳକ ଭାବେ ଗିରଫ କରାଯାଇଥିଲା। ତେବେ ରବିବାର ଦିନ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ହାଜର କରାଯିବା ପରେ ସେମାନଙ୍କୁ ମୁକ୍ତ କରାଯାଇଥିଲା। ସିଜେପିର ଆଇନଗତ ବ୍ୟାପାର ମୁଖ୍ୟ ରତ୍ନା ସିଂହ କହିଛନ୍ତି ଯେ, ଗୋଟିଏ ବର୍ଷ ପର୍ଯ୍ୟନ୍ତ ଶାନ୍ତି ଭଙ୍ଗ ନ କରିବା ସର୍ତ୍ତରେ ସେମାନଙ୍କୁ ମୁକ୍ତ କରାଯାଇଛି। ଏହା ପୂର୍ବରୁ ରବିବାର ସକାଳେ ପୋଲିସ କହିଥିଲା ଯେ, ରାଜଧାନୀରେ ବିମାନ ଅବତରଣ କରିବା ପରେ ଦିଲ୍ଲୀ ପୋଲିସ ସିଜେପି ନେତାମାନଙ୍କୁ ଅଟକ ରଖି ପ୍ରତିଷେଧକମୂଳକ ଭାବେ ଗିରଫ କରିଥିଲା ଏବଂ ସେମାନଙ୍କୁ ଦିଲ୍ଲୀ କ୍ୟାଣ୍ଟ ପୋଲିସ ଷ୍ଟେସନ୍ରେ ଥିବା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ହାଜର କରାଯିବ। ସୂତ୍ର ଅନୁଯାୟୀ, ସିଜେପି ନେତାଙ୍କ ବିରୁଦ୍ଧରେ ଭାରତତୀୟ ନ୍ୟାୟ ସଂହିତା ଧାରା ୧୨୬ (ଶାନ୍ତି ବଜାୟ ରଖିବା ପାଇଁ ସୁରକ୍ଷା) ଏବଂ ୧୭୦ (ସଂଜେ୍ଞୟ ଅପରାଧ ରୋକିବା ପାଇଁ ଗିରଫଦାରୀ) ଲାଗୁ କରାଯାଇଥିଲା। ତିନି ନେତାଙ୍କୁ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ହାଜର କରାଯିବା ପରେ ସିଂହ “ଏକ୍ସ’ (ଟ୍ୱିଟର)ରେ ଏକ ପୋଷ୍ଟ କରି କହିଥିଲେ, “କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ କୋର୍ଟ ଅଭିଜିତ, ସୌରଭ ଏବଂ ଆଶୁତୋଷଙ୍କୁ ମୁକ୍ତ କରିଛନ୍ତି।’ ଶନିବାର ଦିନ ସିଜେପି ନେତାଙ୍କୁ ଅଟକ ରଖିବା ସମୟରେ ଦିଲ୍ଲୀରେ ଅଭୂତପୂର୍ବ ସୁରକ୍ଷା କଟକଣା ଲାଗୁ କରାଯାଇଥିଲା; ଏହି ସମୟରେ ବିଭିନ୍ନ ସ୍ଥାନରେ ୭,୦୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ଅଟକ ରଖାଯାଇଥିଲା, ଯାହା ଫଳରେ ସେମାନେ ଜନ୍ତର ମନ୍ତରରେ ପହଞ୍ଚି ପାରିନଥିଲେ। ବିକ୍ଷୋଭରେ ଯୋଗଦେବାକୁ ଚେଷ୍ଟା କରୁଥିବା ସମୟରେ ଅରବିନ୍ଦ କେଜ୍ରିୱାଲ, ମମତା ବାନାର୍ଜୀ, ପିନାରାୟୀ ବିଜୟନ୍ ଏବଂ ମାଣିକ ସରକାରଙ୍କ ଭଳି ଅନେକ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ଅଟକ ରଖାଯାଇଥିଲା।
ପୋଲିସ୍ କହିଛି ଯେ ଦୀପକେଙ୍କୁ ତାଙ୍କ ଜେମାମାଙ୍କ ମୃତ୍ୟୁ ବିଷୟରେ ଜଣାଇ ଦିଆଯାଇଥିଲା ଏବଂ ଘରକୁ ଯିବା ପାଇଁ ସହାୟତା ପ୍ରଦାନ କରାଯାଇଥିଲା। ବିକ୍ଷୋଭର ନେତୃତ୍ୱ ନେଉଥିବା ସିଜେପି (ସିଜେପି)ର ଅଜିଙ୍କ୍ୟ ସିନ୍ଦେ କହିଛନ୍ତି ଯେ “ଜ୍ଞାନେଶ କୁମାର ଇସ୍ତଫା ନ ଦେବା ପର୍ଯ୍ୟନ୍ତ’ ଏହି ବିକ୍ଷୋଭ ଜାରି ରହିବ।
