ବାରିପଦା ; ମୟୂରଭଞ୍ଜ ଜିଲ୍ଲା,ବାମନଘାଟି ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏକ ବଡ଼ଧରଣର ଜବରଦଖଲ ଉଚ୍ଛେଦ କରାଯାଇ ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ଗୋପାଳବନ୍ଧ ଅଞ୍ଚଳରେ ଥିବା ସରକାରୀ ଜମିକୁ ପ୍ରଶାସନ ପକ୍ଷରୁ ଜବରଦଖଲ ମୁକ୍ତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଏକ ଏମଏସଏମଇ ପାର୍କ ନିର୍ମାଣ ନିମନ୍ତେ ଇଡକୋକୁ ୬୭ ଏକର ଜମି ହସ୍ତାନ୍ତର କରାଯାଇଥିଲା। ମାତ୍ର ଏହି ମୂଲ୍ୟବାନ ସରକାରୀ ଜମିରେ ଦୀର୍ଘ ଦିନ ଧରି ୩୩ଟି ପରିବାର ବେଆଇନ ଭାବେ ଘର ନିର୍ମାଣ କରି ବସବାସ କରିଆସୁଥିଲେ। ପ୍ରଶାସନ ପକ୍ଷରୁ ଏହି ସମସ୍ତ ବେଆଇନ ନିର୍ମାଣକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇଛି। ଉଚ୍ଛେଦ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ସୁଧାକର ସେଠୀ, ରାଇରଙ୍ଗପୁର ତହସିଲଦାର ଭବାନୀ ପ୍ରସାଦ ସାହୁ, ଜାମଦା ତହସିଲଦାର, ବହଳଦା ତହସିଲଦାର ଶିବ ପ୍ରସାଦ ମୁର୍ମୁ ଏବଂ ସୁପରଭାଇଜର ନିହାରରଞ୍ଜନ ପାତ୍ର ଉପସ୍ଥିତ ରହି ସମଗ୍ର କାର୍ଯ୍ୟର ତଦାରଖ କରିଥିଲେ।
ସେହିପରି ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ରାଇରଙ୍ଗପୁର ଅତିରିକ୍ତ ଏସପି ଯଦୁନାଥ ଜେନା ଓ ଏସଡିପିଓ ବୀରେନ୍ଦ୍ର ସେନାପତିଙ୍କ ସମେତ ଉପଖଣ୍ଡର ବିଭିନ୍ନ ଥାନାର ଥାନାଅଧିକାରୀ ଏବଂ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।
