ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଝଗଡ଼େଇ ଗ୍ରାମର ମୁଖ୍ୟ ଛକ ନିକଟରେ ହାଇୱା ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଆଜି ସକାଳ ପ୍ରାୟ ୯ ଘଣ୍ଟ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମୃତକ ହେଲେ ଦେବଭୂମି ଗ୍ରାମର ବିଶ୍ୱନାଥ ବେହେରାଙ୍କ ପୁଅ ମନୋଜ ବେହେରା। ସେ ମଙ୍ଗଳପୁର ଗ୍ରାମରୁ ସାଇକେଲ ଯୋଗେ ନିଜ ଗାଁ ଦେବଭୂମିକୁ ଫେରୁଥିବା ସମୟରେ ଝଗଡ଼େଇ ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ଆସିକା ପୋଲିସ ପହଞ୍ଚି ମନୋଜଙ୍କ ମୃତଦେହକୁ ଉଦ୍ଧାର କରି ଆସିକା ମେଡିକାଲକୁ ପଠାଇଥିଲା। ସେଠାରେ ଡାକ୍ତରୀ ପ୍ରକ୍ରିୟା ପରେ ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲା। ପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ ଆସିକା ଥାନା ପକ୍ଷରୁ କେସ୍? ନମ୍ବର ୬୦୩/୨୬ରେ ମାମଲା ରୁଜୁ ହୋଇଛି। ଦୁର୍ଘଟଣାରେ ସମ୍ପୃକ୍ତ ହାଇୱାର ଚାଳକ କୋଟିନଡ଼ା ଥାନା ଅନ୍ତର୍ଗତ ବଡ଼ଖୋଲି ଗ୍ରାମର ପି. ଶଙ୍କର ରାଓ ଦୋରାଙ୍କୁ ପୋଲିସ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି। ହାଇୱାଟି ଆସିକା ଚିନିଶିଳ୍ପ ନୂଆଗାଁ ଭଗବତୀ ସାହିର ସୁନିଲ କୁମାର ନାୟକଙ୍କ ନାମରେ ଥିବା ପୋଲିସ ସୂଚନା ଦେଇଛି।
