ପୁରୀ: ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର କେବଳ ଏକ ଧର୍ମୀୟ ସ୍ଥଳ ନୁହେଁ; ଏହା ସେମାନଙ୍କ ଆସ୍ଥା, ଭାବନା, ପରମ୍ପରା ଓ ଜୀବନ ସହ ଜଡ଼ିତ ଏକ ଅତୁଟ ସମ୍ପର୍କ। ଏହି ଭାବନାକୁ ହୃଦୟରେ ଧରି ପୁରୀବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର, ସୁବିଧାଜନକ, ସମ୍ମାନଜନକ ଓ ସ୍ଥାୟୀ ବ୍ୟବସ୍ଥା ଦାବିରେ ଗତ ୧ ଅପ୍ରେଲ, ପବିତ୍ର ଉତ୍କଳ ଦିବସରୁ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ପ୍ରତିଦିନ ଶାନ୍ତିପୂର୍ଣ୍ଣ ପଦଯାତ୍ରା ଚାଲିଆସୁଛି। ଆଜି ମଧ୍ୟ ପଦଯାତ୍ରୀମାନେ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରେ ଏକତ୍ରିତ ହୋଇ ସେଠାରୁ ଶାନ୍ତିପୂର୍ଣ୍ଣ ଭାବେ ପଦଯାତ୍ରା ଆରମ୍ଭ କରିଥିଲେ। ପଦଯାତ୍ରା ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ପଦଯାତ୍ରୀମାନେ ପତିତପାବନଙ୍କ ଦର୍ଶନ କରି ପୁରୀବାସୀଙ୍କ ଦୀର୍ଘଦିନର ଦାବି ପୂରଣ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଅହିଂସାପୂର୍ଣ୍ଣ ପଦଯାତ୍ରା ଆଜି ୧୭୧ ଦିନରେ ପହଞ୍ଚିଛି। ୧୭୧ ଦିନ ଧରି ଗ୍ରୀଷ୍ମ, ବର୍ଷା ଓ ବିଭିନ୍ନ ପ୍ରତିକୂଳତା ସତ୍ତ୍ୱେ ପଦଯାତ୍ରୀମାନଙ୍କ ପଦକ୍ଷେପ ଥମିନାହିଁ।

ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପ୍ରତିଦିନର ଏହି ପଦଯାତ୍ରା ପୁରୀବାସୀଙ୍କ ଭାବନା, ଆସ୍ଥା ଓ ଦାବିର ଏକ ଶାନ୍ତିପୂର୍ଣ୍ଣ ଓ ଅହିଂସାମୂଳକ ଅଭିବ୍ୟକ୍ତି ଭାବେ ଜାରି ରହିଛି। ପ୍ରତ୍ୟେକ ଦିନର ପଦକ୍ଷେପ ମହାପ୍ରଭୁଙ୍କ ପ୍ରତି ଆସ୍ଥା ଓ ସ୍ଥାୟୀ ସମାଧାନର ଆଶାର ପ୍ରତୀକ ହୋଇଛି।ଏହି ଅବସରରେ ଆଜି ସ୍ୱତନ୍ତ୍ର ବ୍ୟବସ୍ଥା ମଞ୍ଚର ଆବାହକ ସ୍ୱାଧୀନ କୁମାର ପଣ୍ଡାଙ୍କ ସଂଯୋଜନାରେ ମଞ୍ଚର ସଦସ୍ୟା ଓ ସଦସ୍ୟମାନେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ। ପୁରୀବାସୀଙ୍କ ଭାବନା, ଶ୍ରୀମନ୍ଦିର ସହ ସେମାନଙ୍କର ପାରମ୍ପରିକ ସମ୍ପର୍କ ଏବଂ ପୂର୍ବପରି ସହଜ, ସୁବିଧାଜନକ ଓ ସମ୍ମାନଜନକ ଭାବେ ଦର୍ଶନ ପାଇଁ ସ୍ଥାୟୀ ବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କ ସହ ବିସ୍ତୃତ ଓ ସକାରାତ୍ମକ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ମଞ୍ଚର ସଦସ୍ୟା ଓ ସଦସ୍ୟମାନଙ୍କ କଥା ଧୈର୍ଯ୍ୟର ସହ ଶୁଣିବା ସହ ଆମରଣ ଅନଶନ ଭଳି କଠୋର ପଦକ୍ଷେପ ନନେବାକୁ ଅନୁରୋଧ କରିଥିଲେ। ଏଥିସହ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ସମ୍ପର୍କରେ ଖୁବ୍?ଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ଜିଲ୍ଲାପାଳଙ୍କ ଆଶ୍ୱାସନାକୁ ସମ୍ମାନ ଜଣାଇ ମଞ୍ଚ ପକ୍ଷରୁ ନିଆଯାଇଥିବା ଆମରଣ ଅନଶନ ସ୍ଥଗିତ ରଖାଯାଇଛି।ତେବେ ଆମରଣ ଅନଶନ ସ୍ଥଗିତ ହୋଇଥିଲେ ମଧ୍ୟ ପଦଯାତ୍ରା ବନ୍ଦ ହୋଇନାହିଁ। ଦାବି ପୂରଣ ନହେବା

ପର୍ଯ୍ୟନ୍ତ ବଳଗଣ୍ଡି ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ଏହି ଶାନ୍ତିପୂର୍ଣ୍ଣ ପଦଯାତ୍ରା ଜାରି ରହିବ ବୋଲି ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି। ଜିଲ୍ଲାପାଳଙ୍କ ଆଶ୍ୱାସନାକୁ ସମ୍ମାନ ଜଣାଇ ଆଲୋଚନା ମାଧ୍ୟମରେ ସ୍ଥାୟୀ ସମାଧାନର ଆଶା ରଖାଯାଇଛି।ଶୁକ୍ରବାର ୧୭୧ତମ ଦିନର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ସୁକାନ୍ତ ପଣ୍ଡା, ନୃସିଂହନାଥ ନାୟକ, କିଶୋର ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ମହାନ୍ତି, ଜଗଦାନନ୍ଦ ରାୟ, କାହ୍ନୁଚରଣ ପ୍ରଧାନ, ଅରୁଣା ପଟ୍ଟନାୟକ, ସନ୍ଧ୍ୟାରାଣୀ ମିଶ୍ର, ଅଞ୍ଜୁବାଳା ମହାନ୍ତି, ନିହାରିକା ତ୍ରିପାଠୀ, ପ୍ରଣତୀ ରାୟ, ତନୁପ୍ରିୟା ଦାସ, ମମତା ସ୍ୱାଇଁ, ପ୍ରକାଶ ଚନ୍ଦ୍ର ନାୟକ, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ସନ୍ତୋଷ ସେନାପତି, ବରୁଣ ମହାପାତ୍ର, କାଶୀନାଥ ସାହୁ, ସୁବାଷ ପଟ୍ଟନାୟକ, ବାପିନା ସାମନ୍ତରାୟ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ପଦଯାତ୍ରୀ ଓ ସତ୍ୟାଗ୍ରହୀ ସାମିଲ ହୋଇଥିଲେ।୧୭୧ ଦିନର ଏହି ଯାତ୍ରା ଏକ ନିରବ ସଂକଳ୍ପର ଦୀର୍ଘ ପଥର ସାକ୍ଷୀ। ପ୍ରତିଦିନ ପଦଯାତ୍ରା, ପତିତପାବନଙ୍କ ଦର୍ଶନ ଓ ମହାପ୍ରଭୁଙ୍କ ଚରଣରେ ପ୍ରାର୍ଥନା ମାଧ୍ୟମରେ ପଦଯାତ୍ରୀମାନେ ନିଜ ଦାବିକୁ ଶାନ୍ତିପୂର୍ଣ୍ଣ ଭାବେ ଉପସ୍ଥାପନ କରିଆସୁଛନ୍ତି। ଆଲୋଚନାର ଦ୍ୱାର ଖୋଲା ରହୁ, ପୁରୀବାସୀଙ୍କ ଭାବନାକୁ ସମ୍ମାନ ମିଳୁ ଏବଂ ଏକ ସ୍ପଷ୍ଟ, ସୁବିଧାଜନକ, ସମ୍ମାନଜନକ ଓ ସ୍ଥାୟୀ ବ୍ୟବସ୍ଥା ଗଢ଼ିଉଠୁ; ଏହି ଆଶା ନେଇ ପଦଯାତ୍ରା ଆଗକୁ ଜାରି ରହିଛି। ୧୭୧ ଦିନର ପଦଚିହ୍ନ କହୁଛି; ପଦଯାତ୍ରା ଶାନ୍ତ, ସଂକଳ୍ପ ଅଟଳ, ଦାବି ସ୍ପଷ୍ଟ ଏବଂ ଆଶା ଅବିଚଳ।
